ଟି-ବ୍ରିଜ ଅଘଟଣ ପରେ ସିଂହନାଥ ପୀଠରେ ମକର ମେଳା ବନ୍ଦ, ୧୪୪ ଧାରା ଜାରି

ନରସିଂହପୁର(କେନ୍ୟୁଜ୍): ବଡ଼ମ୍ବା ସିଂହନାଥ ଟି-ସେତୁରେ ଦଳାଚକଟା ଘଟଣା ପରେ ପୀଠରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ମକରଯାତ୍ରା ବନ୍ଦ କରାଯାଇଛି । ଏଥିସହ ସିଂହନାଥ ପୀଠକୁ ସଂଲଗ୍ନ କରୁଥିବା ଟି-ବ୍ରିଜ୍‌, ଅସ୍ଥାୟୀ ରାସ୍ତା ଓ ପାରିପାର୍ଶ୍ୱିକ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । କିନ୍ତୁ ଏହି ସମୟରେ ମନ୍ଦିର ନୀତିକାନ୍ତି ପୂର୍ବ ଭଳି ଜାରି ରହିବ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।

ଗତକାଲି ମକର ମେଳା ବେଳେ ସିଂହନାଥ ଟି-ସେତୁରେ ଦଳାଚକଟା ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୨୦ରୁ ଅଧିକ । ସେମାନଙ୍କ ମଧ୍ୟରୁ ୬ ଜଣ ବଡ଼ମ୍ବା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୪ ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମକର ସଂକ୍ରାନ୍ତିରେ ମହାନଦୀ ଭିତରେ ଥିବା ସିଂହନାଥ ପୀଠରେ ବାଲି ସିଂହାସନ ଯାତ୍ରା ବେଳେ ଅଘଟଣ ଘଟିଥିଲା । ଦୁଇ ବର୍ଷ ପରେ ଏଥର ବାଲି ସିଂହାସନ ଯାତ୍ରା ହେଉଥିବାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥିଲା । ପୂର୍ବରୁ ପୀଠକୁ ଡଙ୍ଗାରେ ଯିବା ଆସିବା କରୁଥିବା ବେଳେ ଚଳିତ ଥର ଟି- ସେତୁ ଦେଇ ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ବୈଦେଶ୍ୱରରୁ ଗୋପୀନାଥପୁରକୁ ସଂଯୋଗ କରୁଛି ଏହି ଟି-ସେତୁ । ଦଳାଚକଟାରେ ଜଣେ ମହିଳା ଭକ୍ତଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.