ପୁରୀ: ପୁଣି ଏମାର ମଠରେ ମିଳିଲା ୪୭ ଖଣ୍ଡ ରୁପା ଇଟା, ୨୦୧୧ରେ ଜବତ ହୋଇଥିଲା ୫୨୨ ଖଣ୍ଡ

ପୁରୀ(କେନ୍ୟୁଜ୍):  ପୁରୀ ଏମାର ମଠରେ ରୁପା ଇଟାକୁ ନେଇ ଚର୍ଚ୍ଚା । ମଠ ପରିଚାଳନା ଭାର ନୂଆ ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର ବେଳେ ମଠ ମହନ୍ତଙ୍କ ମାର୍ଫତରେ ଥିବା ୪୭ ଖଣ୍ଡ ରୁପା ଇଟା ସଂପର୍କରେ ସୂଚନା ମିଳିଛି । ଦେବୋତ୍ତର ବିଭାଗର ତାଲିକାରେ ଥିବା ଏହି ୪୭ ଖଣ୍ଡ ରୁପା ଇଟା ୨୦୧୦ ମସିହାରେ ମଠକୁ ଇନଭେଣ୍ଟ୍ରି କରାଯାଇ ତାଲିକାଭୁକ୍ତ କରାଯାଇଥିଲା । ଏହି ରୁପା ଇଟାକୁ ହସ୍ତାନ୍ତର ସମୟରେ ଗୋପନୀୟ ଭାବେ ମଠର ଚଟାଣ ତଳେ ଲୁଚେଇ ରଖିଥିବା ସୂଚନା ମିଳିଛି । ଦେବୋତ୍ତର ନିରୀକ୍ଷକ, ନୂତନ ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ପୋଲିସ ଉପସ୍ଥିତିରେ ଚଟାଣ ଖୋଲାଯାଇ ଏହି ରୁପା ଇଟା ବାହାର କରାଯାଇଥିବା କୁହାଯାଉଛିି । ତେବେ ଏ ସଂପର୍କରେ ଦେବୋତ୍ତର ବିଭାଗ, ମଠ କର୍ତ୍ତୃପକ୍ଷ କିମ୍ବା ପୋଲିସ କିଛି ସୂଚନା ଦେଇନାହାନ୍ତି ।

ପୂର୍ବରୁ ୨୦୧୧ ମସିହାରେ ଏମାର ମଠରୁ ୫୨୨ ଖଣ୍ଡ ରୁପା ଇଟା ଜବତ କରାଯାଇଥିଲା । ଏହାକୁ ଜିଲ୍ଲା ଅସ୍ତ୍ରାଗାରରେ ରଖାଯାଇଛି । ଗତକାଲି ନୂଆ ଟ୍ରଷ୍ଟ ବୋର୍ଡ ଦାୟିତ୍ୱ ନେବା ପରେ ଆଜି ମଠର ସମ୍ପତ୍ତି ହସ୍ତାନ୍ତର ପ୍ରକ୍ରିୟା ଚାଲିଛି । ଦେବୋତ୍ତର ବିଭାଗ ନିରୀକ୍ଷକ, ଟ୍ରଷ୍ଟ ବୋର୍ଡ ଟ୍ରଷ୍ଟି ଓ ସଦସ୍ୟ ମଠକୁ ଯାଇ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରୁଛନ୍ତି । ମଠ ଭିତରୁ ଅନେକ ରୂପା ଅଳଙ୍କାର, ପୂଜା ସାମଗ୍ରୀ, ୧୦ରୁ ଅଧିକ କଳଙ୍କି ଲଗା ଖଣ୍ଡା, ପାଟବସ୍ତ୍ର ଆଦି ମଠ ପରିସରରୁ ମିଳିଥିବା ଜଣାପଡ଼ିଛି । ଆଜି ଏସବୁ ସଂପତ୍ତିର ତାଲିକା ପ୍ରସ୍ତୁତ କରାଯାଇଛି । ପୂର୍ବତନ ମହନ୍ତ କେବଳ ମଠରେ ପୂଜା ଓ ନୀତିକାନ୍ତି କରିପାରିବେ ବୋଲି ନିର୍ଦ୍ଦେଶ ରହିଛି । ତେଣୁ ନୂଆ ଟ୍ରଷ୍ଟ ବୋର୍ଡ ମନ୍ଦିର ଆର୍ଥିକ ପରିଚାଳନା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.