୩ ବର୍ଷ ପରେ କୋରାପୁଟରେ ମାଓବାଦୀଙ୍କୁ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ୨ ମୃତ

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଲ୍ଲାରେ ୩ ବର୍ଷ ପରେ ମାଓବାଦୀଙ୍କ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ୨ ମାଓବାଦୀ ମୃତ । ୩ଟି ବନ୍ଧୁକ ସହ ଜିଲେଟିନ୍‌, ଆଇଇଡି, ମାଓ ପୁସ୍ତକା ଏବଂ ଗଞ୍ଜେଇ ବସ୍ତା ଜବତ ହୋଇଛି । ବୈପାରିଗୁଡା ଥାନା ମାଳି ପଦର ଜଙ୍ଗଲରେ ଏସ୍‌ଓଜି ଓ ବିଏସ୍‌ଏଫ୍‌ର ମିଳିତ କମ୍ବିଂ ଅପରେସନ ବେଳେ ଗୁଳିବିନିମୟ ହୋଇଥିଲା । ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ବିଳମ୍ବିତ ରାତିରେ କୋରାପୁଟ ରାମଗିରି-ଗୁପ୍ତେଶ୍ୱର ରାସ୍ତାର ଅଟଳଗୁଡ଼ା ଜଙ୍ଗଲ ମାଲିପଦର ଗାଁରେ ୧୦ରୁ ୧୫ ମାଓବାଦୀ ଥିବା ସୂଚନା ମିଳିବା ପରେ କମ୍ବିଂ ଅପରେସନ୍‌ କରାଯାଇଥିଲା । ମୁହାଁମୁହିଁ ହୋଇଥିଲେ ପୋଲିସ-ମାଓବାଦୀ ।

ଉଭୟ ପକ୍ଷଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ଚାଲିଥିଲା । ପୋଲିସ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ଅନ୍ୟ ମାଓବାଦୀ ଖସି ପଳାଇଛନ୍ତି । ସେମାନଙ୍କୁ ଧରିବାକୁ ଏବେବି କମ୍ବିଂ ଅପରେସନ୍‌ ଚାଲିଥିବା ସୂଚନା ମିଳିଛି । ପୂର୍ବରୁ ୨୦୧୯ ମେ ମାସରେ ନନ୍ଦପୁର ଥାନା ଅନ୍ତର୍ଗତ କିତୱା ଜଙ୍ଗଲରେ ପୋଲିସ ଗୁଳିରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୧ ସେପ୍ଟେମ୍ବରରେ ବୈପାରିଗୁଡାର ବଡ଼ବେଡା ଗାଁ ମାଓ ନେତା ଶଙ୍କରକୁ ଆହତ ଅବସ୍ଥାରେ ଗିରଫ କରାଯାଇଥିଲା।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.