ସରପଞ୍ଚ ଠାରୁ ମୁଖ୍ୟମନ୍ତ୍ରୀ ଯାଏଁ ସମସ୍ତ ଲୋକପ୍ରତିନିଧି ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ: ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଦୁର୍ନୀତି ବିକାଶର ବଡ଼ ଶତ୍ରୁ । ଦୁର୍ନୀତି ବିରୋଧରେ ଲଢ଼େଇକୁ ଅଧିକ ଜୋରଦାର କରାଯିବ । ବିଜେଡି ରାଜ୍ୟ ପରିଷଦ ବୈଠକରେ ଏନେଇ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟତ । ସମସ୍ତେ ଦେବେ ସମ୍ପତ୍ତି ତାଲିକା । ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ଲୋକ ପ୍ରତିନିଧି, ତଳସ୍ତରରୁ ସର୍ବୋଚ୍ଚ ପର୍ଯ୍ୟନ୍ତ ସବୁ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ । ସେହିପରି ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ପ୍ରାଥମିକ ସ୍ତରରୁ ମୁଖ୍ୟ ସଚିବଙ୍କ ଯାଏ ସମସ୍ତେ ପ୍ରତିବର୍ଷ ଦେବେ ସମ୍ପତ୍ତି ତାଲିକା । ସର୍ବସାଧାରଣଙ୍କ ସୂଚନା ପାଇଁ ସେସବୁକୁ ପବ୍ଲିକ ଡୋମେନରେ ରଖାଯିବ । ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କ ସମ୍ପତ୍ତି ତାଲିକା ପ୍ରତିବର୍ଷ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ । ଦୁର୍ନୀତି ରୋକିବା ପାଇଁ ଏଭଳି କଡ଼ା ପଦକ୍ଷେପ ନେବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ରାଜ୍ୟ ହେବ ।

ଅନ୍ୟ ରାଜ୍ୟକୁ ଏହା ବାଟ ଦେଖାଇବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି, ଆମ ସରକାର ସବୁବେଳେ ଗରିବ, ଆଞ୍ଚଳିକ ଅସମାନତା, ଅନ୍ୟାୟ ଓ ଅପାରଗତା ବିରୋଧରେ ଲଢ଼େଇ ଜାରି ରଖିଛି । ଦୁର୍ନୀତିର ମୂଳୋତ୍ପାଟନ ନକଲେ ଲଢ଼େଇ ମୂଲ୍ୟହୀନ ହେବ । ସେହିପରି ନବୀନ କହିଛନ୍ତି, ଦୁର୍ନୀତିଗ୍ରସ୍ତ ଉଚ୍ଚପଦସ୍ଥ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସରକାର ସବୁବେଳେ କଠୋର ଓ ଦୃଢ଼ାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବର୍ଷେ ଭିତରେ ୯୧ଜଣ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ବନ୍ଦ କରାଯାଇଛି ପେନସନ୍‌ । ସାଧାରଣ ଲୋକଙ୍କ ମୁହଁରେ ହସ ଓ ମନରେ ବିଶ୍ୱାସ ଗୋଟିଏ ରାଜନୈତିକ ଦଳର ସବୁଠାରୁ ବଡ଼ ସମ୍ପତ୍ତି । ତାକୁ ବଜାୟ ରଖିବା ଦିଗରେ କାମ କରିବାକୁ ରାଜ୍ୟ ପରିଷଦ ବୈଠକରେ ଆହ୍ଵାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.