ଯାଜପୁର: ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ବିଭିନ୍ନ ପଂଚାୟତରେ ଛାନଭିନ କରୁଛି କେନ୍ଦ୍ରୀୟ ଟିମ୍

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକରେ ମନରେଗା କାର୍ଯ୍ୟରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ପାଇଁ ଆସିଥିବା କେନ୍ଦ୍ରୀୟ ଦଳ ଗୋଟିଏ ପରେ ଗୋଟିଏ ପଂଚାୟତରେ ଛାନଭିନ କରୁଛନ୍ତି। ।

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ରେ ମନରେଗା କାର୍ଯ୍ୟରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ପାଇଁ ଆସିଥିବା କେନ୍ଦ୍ରୀୟ ଦଳ ଗୋଟିଏ ପରେ ଗୋଟିଏ ପଂଚାୟତରେ ଛାନଭିନ କରୁଛନ୍ତି। ମନରେଗା ଯୋଜନାରେ ହୋଇଥିବା ବୃକ୍ଷ ରୋପଣ ଠାରୁ ଆରମ୍ଭ କରି ମାଟି କାମ ରେ ବ୍ୟାପକ ଦୁର୍ନୀତି ହୋଇଥିବା କେନ୍ଦ୍ରୀୟ ଦଳ ପ୍ରମାଣ ପାଇଛି। ପୂର୍ବରୁ ଜରୀ ପଂଚାୟତରେ ହୋଇଥିବା ଦୁର୍ନୀତି ଘଟଣା ରେ ୩ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିଲେ। ପୁଣି ବ୍ଲକର ଅନ୍ୟ ପଂଚାୟତ ଦୁର୍ନୀତି ରେ ସରକାରୀ ଅଧିକାରୀ ଙ୍କ ବିରୋଧ ରେ ନିଆଯିବ କାର୍ଯ୍ୟାନୁଷ୍ଠାନ ତାକୁ ନେଇ ଚର୍ଚା ଜୋର ଧରିଛି।

ବିଂଝାରପୁର ବ୍ଲକରେ ମନରେଗା ଦୁର୍ନୀତି ଘଟଣାର ଛାନଭିନ ଆରମ୍ଭ କରିଛି କେନ୍ଦ୍ରୀୟ ଦଳ। କେନ୍ଦ୍ର ସରକାର ଙ୍କ ଅନୁଦାନ କୁ ଠିକଣା ଭାବେ କାର୍ଯ୍ୟକାରୀ ହୋଇଛି ନା ନାହିଁ। ଯୋଜନାରେ ପ୍ରକୃତ ହିତାଧିକାରୀ ସୁଫଳ ପାଇଛନ୍ତି ନା ନାହିଁ। ତାହାକୁ ଟିକିନିଖି କରି ଯାଞ୍ଚ କରୁଛି ଏହି ଦଳ। ଗତ ଦୁଇ ଦିନ ଧରି ବ୍ଲକ ର ବାଙ୍ଗରା ଓ ଫତେପୁର ପଂଚାୟତ କାର୍ଯ୍ୟାଳୟ କୁ ଯାଇ କାଗଜପତ୍ର କୁ ଯାଞ୍ଚ କରୁଛି ଏହି ଦଳ। ତଦନ୍ତ ସମୟରେ ଅନେକ ଅନିୟମିତତା ସାମ୍ନା କୁ ଆସିଥିବା ଚର୍ଚା ହେଉଛି। କେଉଁଠି ମଷ୍ଟର ରୋଲ ରେ ଜଣକ ନାଁରେ ଅନ୍ୟ ଜଣକ ଆକାଉଣ୍ଟ ଦର୍ଶାଇ ଟଙ୍କା ଲୁଟ ହୋଇଛି ତ ଆଉ କେଉଁଠି ବନିକରଣ ନାଁରେ ମିଥ୍ୟାବିଲ କରାଯାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଛି। ଏ ଭଳି ଦୁର୍ନୀତି ହୋଇଥିବା ଅଭିଯୋଗ କରି କେନ୍ଦ୍ର ସରକାର ଙ୍କୁ ଅବଗତ କରାଯିବା ପରେ ଆରମ୍ଭ ହୋଇଛି ତଦନ୍ତ ଆଉ ଯାହାକୁ ନେଇ ଛାନିଆ ହୋଇପଡିଛନ୍ତି ଦୁର୍ନୀତି ଗ୍ରସ୍ତ ବାବୁ ଓ ଠିକାଦାର।

ବିଂଝାରପୁର ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ଏଭଳି ସମାନ ଅଭିଯୋଗ ଆସିବା ସହିତ ଦୁର୍ନୀତି ର ତଦନ୍ତ କରିବାକୁ ବିଭିନ୍ନ ପଂଚାୟତ ବାସୀ ଧାରଣା ଦେଇ ତଦନ୍ତ କରିବାକୁ ଦାବି କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଜରି ପଂଚାୟତ ର ଦୁର୍ନୀତି ତଦନ୍ତ କରି 3 ଜଣ ସରକାରୀଙ୍କୁ ପୂର୍ବରୁ ନିଲମ୍ବିତ କରିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ସିଂହପୁର,ବାଙ୍ଗରା, ଫତେପୁର ଆଦି ଅନ୍ୟାନ୍ୟ ପଂଚାୟତ ରୁ ସମାନ ଅଭିଯୋଗ ଆସିବା ପରେ ବିଜେପି ନେତ୍ରୀ ବବିତା ମଲ୍ଲିକ କେନ୍ଦ୍ର ସରକାର ଙ୍କୁ ଲିଖିତ ଅଭିଯୋଗ କରି ଦୁର୍ନୀତି ର ତଦନ୍ତ କରିବାକୁ ଦାବି କରିଥିଲେ। ଏହି ଦଳ ଦୁଇ ଦିନ ହେଲା ବିଭିନ୍ନ ପଂଚାୟତ ଯାଇ ଅଭଯୋଗ ର ତଦନ୍ତ କରୁଛି ଓ ତଦନ୍ତ ଶେଷ ହେବା ପରେ ଏକ ରିପୋର୍ଟ କେନ୍ଦ୍ର ସରକାର ଙ୍କୁ ପ୍ରଦାନ କରାଯିବ ବୋଲି କେନ୍ଦ୍ରୀୟ ପ୍ରତିନିଧି ସୂଚନା ଦେଇଛନ୍ତି।

ପୂର୍ବରୁ ଗୋଟିଏ ପଂଚାୟତ ର ଦୁର୍ନୀତି ତଦନ୍ତ ପରେ ୩ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିବା ବେଳେ ଏବେ ସବୁ ପଂଚାୟତ ତଦନ୍ତ କରାଗଲେ ଆଉ କେତେ ଦୁର୍ନୀତି ଧରାପଡିବ ଓ କେତେ ସରକାରି କର୍ମଚାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ନେଇ ଚର୍ଚା ଜୋର ଧରିଛି।