ନିର୍ବାଚନ ବେଳେ ମୋଟ୍ ୩୪୩୯ କୋଟି ମୂଲ୍ୟର ନଗଦ ଟଙ୍କା ଓ ସାମଗ୍ରୀ ଜବତ : ନିର୍ବାଚନ କମିଶନ

ସାଧାରଣ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବାକୁ ଏଥର କଡ଼ା ପଦକ୍ଷେପ ନେଇଥିଲେ ନିର୍ବାଚନ କମିଶନ । ଫୋକସରେ ଥିଲା ଟଙ୍କା ଓ ନିଶା କାରବାର ରୋକିବ । । ତଥାପି ଏଥିରେ ବ୍ରେକ୍ ଲାଗି ପାରି ନଥିଲା । ଏବର୍ଷ ଜବତ ହୋଇଛି ମୋଟ୍ ୩ ହଜାର ୪୩୯ କୋଟିର ନଗଦ ଟଙ୍କା ଓ ସାମଗ୍ରୀ। ଯାହାକି ଗତଥର ଅପେକ୍ଷା ପାଖାପାଖି ଅଢ଼େଇ ଗୁଣା ଅଧିକ।

ଲୋକସଭା ନିର୍ବାଚନ ବେଳେ ଏବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଜବତ ହୋଇଛି ପୁଳା ପୁଳା ଟଙ୍କା। ବ୍ୟାପକ ନିଶା ଓ ମାଦକ ଦ୍ରବ୍ୟ ବି ଧରିଛନ୍ତି ନିର୍ବାଚନ ଫ୍ଲାଇଂ ସ୍କ୍ଵାଡ୍ ଟିମ୍। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ଚଳିତବର୍ଷ ଦେଶରୁ ଜବତ ହୋଇଛି ୩ ହଜାର ୪ଶହ ୩୯ କୋଟି ମୂଲ୍ୟର ନଗଦ ଟଙ୍କା ଓ ସାମଗ୍ରୀ। ଯାହାକି ଏପର‌୍ୟ୍ୟନ୍ତ ଲୋକସଭା ନିର୍ବଚନରେ ସର୍ବାଧିକ । ୨୦୧୪ ନିର୍ବାଚନ ବେଳେ ସିଜ୍ ହୋଇଥିଲା ୧୨ ଶହ କୋଟି ଟଙ୍କା ଓ ବିଭିନ୍ନ ପ୍ରକାର ସାମଗ୍ରୀ। ଏବର୍ଷ ମୋଟ୍ ୮ ଶହ ୩୬ କୋଟି ନଗଦ ଟଙ୍କା ଧରିଛନ୍ତି ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ଟିମ୍। ସେହିପରି ୨୯୧ କୋଟି ଟଙ୍କାର ମଦ, ୧୨୬୭ କୋଟି ଟଙ୍କାର ନିଶା ଦ୍ରବ୍ୟ, ୯୮୫ କୋଟି ଟଙ୍କାର ବିଭିନ୍ନ ପ୍ରକାର ସାମଗ୍ରୀ ଜବତ ହୋଇଛି।

ତାମିଲନାଡୁରୁ ସାମଗ୍ରିକ ଭାବେ ସର୍ବାଧିକ ନଗଦ ୨୨୭ କୋଟି ଟଙ୍କାକୁ ମିଶାଇ ମୋଟ ୯୫୦ କୋଟି ଟଙ୍କାର ବେଆଇନ ସାମଗ୍ରୀ ମିଳିଛି। ଏହାପଛକୁ ରହିଛି ଗୁଜୁରାଟ। ସେଠାରୁ ଯାଞ୍ଚ ଓ ଚଢ଼ାଉ ବେଳେ ଜବତ ହୋଇଛି ୫୫୨ କୋଟି ମୂଲ୍ୟର ଟଙ୍କା ଓ ସାମଗ୍ରୀ। ଦିଲ୍ଲୀରୁ ନିର୍ବାଚନ କମିଶନଙ୍କ ଟିମ୍ ୪ଶହ ୨୬ କୋଟିରୁ ଅଧିକ ଟଙ୍କା ଓ ସାମଗ୍ରୀ ଜବତ କରିଛନ୍ତି। ଗୁଜୁରାଟରୁ ସର୍ବାଧିକ ୫୨୪ କୋଟି ଟଙ୍କାର ମାଦକ ଦ୍ରବ୍ୟ ଓ ଦିଲ୍ଲୀରୁ ୩୭୪ କୋଟିରୁ ଅଧିକ ଟଙ୍କାର ନିଶା ଦ୍ରବ୍ୟ ଧରାଯାଇଛି। ସେହିପରି ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ଓଡ଼ିଶାରେ ୪ଟି ପର‌୍ୟ୍ୟାୟ ଭୋଟ୍ ବେଳେ ମାତ୍ର ୩ କୋଟି ୮୬ ଲକ୍ଷ ଟଙ୍କା ଜବତ ହୋଇଛି। ୪ କୋଟି ୧୯ ଲକ୍ଷ ଟଙ୍କାର ମଦ ଜବତ ହୋଇଥିବା ବେଳେ କୌଣସି ନିଶା ସାମଗ୍ରୀ ମିଳି ନାହିଁ। ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବାକୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ନିର୍ବାଚନ କମିଶନ। ତଥାପି ଟଙ୍କା ଓ ମଦ କାରବାର ଉପରେ ଲାଗି ପାରିଲା ନାହିଁ ରୋକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.