ଏହି ଦେଶର ରାଷ୍ଟ୍ରଦୂତ ମାନଙ୍କ ସହିତ କିଟ୍ ଓ କିସ୍ ପରିଦର୍ଶନ କଲେ ଭାରତରେ ବ୍ରିଟିଶ କାଉନ୍ସିଲ୍ ଇଣ୍ଡିଆର ନିର୍ଦ୍ଦେଶିକା
ଭୁବନେଶ୍ବର: ଭାରତରେ ଅବସ୍ଥାପିତ କୋଷ୍ଟାରିକା ରାଷ୍ଟ୍ରଦୂତ କ୍ଲାଉଡିଓ ଆନ୍ସୋରେନା ମଣ୍ଟେରୋ, ପାରାଗୁଏ ରାଷ୍ଟ୍ରଦୂତ ଫ୍ଲେମିଂ ରାଉଲ ଦୁଆର୍ତେ ରାମୋସ, ଇକ୍ୱେଡର୍ ରାଷ୍ଟ୍ରଦୂତ ହେକ୍ଟର କ୍ୱେଭା ଜାକମ୍ ଏବଂ ଭାରତରେ ବ୍ରିଟିଶ କାଉନ୍ସିଲ୍ ଇଣ୍ଡିଆର ନିର୍ଦ୍ଦେଶିକା ବାରବରା ଉଇକ୍ହାମ ପ୍ରମୁଖ କିସ୍ ଓ କିଟ୍ ପରିଦର୍ଶନ କରିଛନ୍ତି । ସେମାନେ କିଟ୍ର ବିଭିନ୍ନ କ୍ୟାମ୍ପସ ବୁଲି ଦେଖିବା ସହ କିସ୍ର ବିଭିନ୍ନ ୟୁନିଟ୍ ପରିଦର୍ଶନ କରିଥିଲେ।
ଏହି ଅବସରରେ କିସ୍ର ୧୫ ହଜାର ଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କ୍ଲାଉଡିଓ କହିଲେ, ମୁଁ ମୋ ଜୀବନରେ ଆଜି ପର୍ଯ୍ୟନ୍ତ କେବେ ବି ଏତେ ସଂଖ୍ୟକ ପିଲାଙ୍କୁ ସମ୍ବୋଧିତ କରିନାହିଁ । ମୁଁ ଗୋଟିଏ ଛୋଟ ଦେଶରୁ ଆସିଥିଲେ ମଧ୍ୟ ଏଠାରେ ଯେଉଁ ମାନବ ଦର୍ଶନକୁ କାର୍ଯ୍ୟକାରୀ କରାଯାଉଛି ତାହା ମତେ ଅଭିଭୂତ କରିଛି । କିସ୍ରେ କାର୍ଯ୍ୟକାରୀ କରାଯାଉଥିବା ଦର୍ଶନ ସମଗ୍ର ବିଶ୍ୱରେ କର୍ଯ୍ୟକାରୀ କରାଯିବା ଉଚିତ ବୋଲି ସେ କହିଥିଲେ ।
ଇକ୍ୱେଡର ରାଷ୍ଟ୍ରଦୂତ ହେକ୍ଟର କହିଲେ, କିସ୍କୁ ଆସିବା ପରେ ମୁଁ ଅନୁଭବ କରୁଛି, ଜଣେ ସାଧାରଣ ଲୋକ ତାର ନିଷ୍ଠା ଓ କାର୍ଯ୍ୟ ବଳରେ ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିଦେଇପାରେ। ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି, କିସ୍ ଓ କିଟ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ସେ ଚାହିଁଲେ, ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିପାରିବେ। ମୋର ଦୃଢ ବିଶ୍ୱାସ ହୋଇଛି ଯେ, କିସ୍ ହେଉଛି ସମଗ୍ର ବିଶ୍ୱ ପାଇଁ ଉଦାହରଣ।
ପାରାଗୁଏ ରାଷ୍ଟ୍ରଦୂତ ଫ୍ଲେମିଂ କହିଲେ, କିସ୍ ପରିଦର୍ଶନ କରିବା ପରେ ମୁଁ ସମ୍ପୂର୍ଣ୍ଣ ଅଭିଭୂତ ହୋଇପଡ଼ିଛି। ଆଜିର ଦିନ ମୋ ପାଇଁ ମୋ ଜୀବନର ସବୁଠାରୁ ବଡ଼ ଦିନ। ଏହା ମୋ ପାଇଁ ସ୍ମୃତି ହୋଇ ରହିବ। ଏଠାରେ କେବଳ ପିଲାମାନଙ୍କୁ ଶିକ୍ଷା ଦିଆଯାଉନାହିଁ, ଏଠାରେ ସେମାନଙ୍କୁ ଶୃଙ୍ଖଳା, ସଚ୍ଚୋଟତା, ମାନବିକତା, ନିଷ୍ଠା ଭଳି ମୂଲ୍ୟଭିତ୍ତିକ ଶିକ୍ଷା ପ୍ରଦାନ କରାଯାଉଛି। ଆଗାମୀ ଦିନରେ ବିଶ୍ୱର ପରିବର୍ତ୍ତନକାରୀ ଭାବେ ନିଜକୁ ଗଢି ତୋଳିବାକୁ ସେ କିସ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ପିଲାଙ୍କୁ ଉଦ୍ବୋଧନ ଦେଇ ଶ୍ରୀମତୀ ବାରବରା କହିଲେ, ଡାକ୍ଟର ସାମନ୍ତଙ୍କ ଦୂରଦୃଷ୍ଟି ଏବଂ ଏହାର କାର୍ଯ୍ୟକାରିତା ତାଙ୍କର ପ୍ରୟାସ ମୋତେ ପ୍ରଭାବିତ କରିଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, କିଟ୍ ଓ କିସ୍ର ସମ୍ପାଦକ ଆର.ଏନ୍.ଦାଶ, କିସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ପି.କେ.ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।