ୟାକୁ ହିଁ କହନ୍ତି ମାନବିକତା: ପାହାଡ ଉପରୁ ଆହତ ମହିଳାଙ୍କୁ ବୋହି ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଖୋର୍ଦ୍ଧା/ବେଗୁନିଆ : ସହାୟତା କରିବା ପାଇଁ ଅର୍ଥର ଆବଶ୍ୟକତା ନଥାଏ । ଆବଶ୍ୟକ ଥାଏ ତ ଗୋଟେ ଉଦାର ହୃଦୟର। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ କଳାଙ୍ଗ ପଞ୍ଚାୟତ ନାଉପଦା ଗ୍ରାମରେ। ଯେଉଁଠି ଦେବଦୂତ ସାଜିଥିଲେ ଆମ୍ବୁଲାନ୍ସ କର୍ମଚାରୀ।
ସୂଚନାନୁଯାୟୀ, ଉକ୍ତ ଗ୍ରାମର ୩୫ ବର୍ଷୀୟା ମହିଳା ବାସନ୍ତୀ ବରାଡଙ୍କୁ ପାରିବାରିକ ଗଣ୍ଡଗୋଳ ଯୋଗୁ କିଛି ଲୋକ ମାଡମାରି ଜଲ୍ଳାପଡା ପାହାଡ ଉପରେ ପକାଇଦେଇଥିଲେ। ପରିବାରରେ କୌଣସି ପୁରୁଷ ଲୋକ ନଥିବାରର ସୁଯୋଗ ନେଇ ତାଙ୍କ ପଡୋଶୀ ଏପରି କରିଥିବା ଜଣାପଡିଥିଲା । ଏନେଇ ଖବର ପାଇବାପରେ ଭୁବନେଶ୍ବରରେ ରହୁଥିବା ପୁଅ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ଆହତ ମାଙ୍କୁ ଉଦ୍ଧାର କରି ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଗୁହାରୀ କରିଥିଲେ । ଏନେଇ ଖବର ପାଇବାପରେ ଅପରାହ୍ନ ଘଟଣାସ୍ଥଳରେ ଆମ୍ବୁଲାନ୍ସଚାଳକ ସନାସି ମଲ୍ଲିକ , ଫାର୍ମାସିଷ୍ଟ କମଳଲୋଚନ ନାୟକ ଓ ହେଲପର ଅନ୍ତର୍ଜାମୀ ବେହେରା ପହଁଚିଥିଲେ।
ତେବେ ବଣ ଜଙ୍ଗଲ ଘେରା ସେହି ପାହାଡ ଅଞ୍ଚଳକୁ କୌଣସି ପକ୍କା ରାସ୍ତା ନ ଥିବାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଆମ୍ବଲାନ୍ସ ଅଟକି ଯାଇଥିଲା। ତେଣୁ ଡ୍ରାଇଭର ଓ ହେଲପର ଘଟଣାସ୍ଥଳକୁ ଷ୍ଟ୍ରେଚର ନେଇ ଚାଲି ଚାଲି ଯାଇଥିଲେ। କର୍ମଚାରୀମାନେ ଆହତ ମହିଳାଙ୍କୁ ଷ୍ଟ୍ରେଚର ସାହାର୍ଯ୍ୟରେ କିଛି ପରିବାର ଲୋକଙ୍କ ସହିତ ମିଶିକି ଦୁଇ କିମି ଦୂରରେ ଅଟକି ଯାଇଥିବା ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ଏହା ପରେ ରୋଗୀଙ୍କୁ ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ପାଇଁ ନେଇଥିଲେ ପରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁନର୍ବାର ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭର୍ତି କରାଯାଇଥିଲା।
ତେବେ ମହିଳା ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଦେବଦୂତ ସାଜି ତାଙ୍କର ଜୀବନ ରକ୍ଷା କରିଥିଲେ। ଏହି ପରିସ୍ଥିତିରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମାନବିକତାକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।