ଆମ ଓଡ଼ିଶା ନବୀନ ଓଡ଼ିଶାରେ ଆଉ ୨ ଜିଲ୍ଲା ସାମିଲ, ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ହେବ ବିକାଶ

5T ସଚିବ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଯୋଗୁ ଓଡିଶାର ଗାଁ ଗୁଡିକ ହେବ ବିକାଶର କେନ୍ଦ୍ର। ଗାଁ ଲୋକଙ୍କୁ ଆଉ ସହର ଉପରେ ନିର୍ଭର କରିବାକୁ ପଡିବ ନାହିଁ।

କେନ୍ୟୁଜ୍(ବ୍ୟୁରୋ): ଆମ ଓଡ଼ିଶା ନବୀନ ଓଡ଼ିଶାରେ ଆଉ ୨ ଜିଲ୍ଲା ସାମିଲ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । କଟକ ଜିଲ୍ଲାର ୫୩୫୧ ପ୍ରକଳ୍ପ ପାଇଁ ୧୮୬ କୋଟି ୫୦ ଲକ୍ଷ ମଞ୍ଜୁର ହୋଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୨୪ କୋଟି ୫୦ ଲକ୍ଷ ଟଙ୍କା ମିଳିଛି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍ ସଂଯୋଗ ମିଳିବ । ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।
ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଏଥିପାଇଁ କାର୍ଯ୍ୟକ୍ରମର ସଫଳ ରୂପାୟନରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ। 5T ସଚିବ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଯୋଗୁ ଓଡିଶାର ଗାଁ ଗୁଡିକ ହେବ ବିକାଶର କେନ୍ଦ୍ର। ଗାଁ ଲୋକଙ୍କୁ ଆଉ ସହର ଉପରେ ନିର୍ଭର କରିବାକୁ ପଡିବ ନାହିଁ। ତାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ପାଣ୍ଡିଆନ ସୂଚନା ଦେଇଥିଲେ। 5T ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି କାର୍ଯ୍ୟକ୍ରମରେ ସାମିଲ ହୋଇ ଜନପ୍ରତିନିଧିମାନେ କହିଛନ୍ତି ।