ପାରଳାଖେମୁଣ୍ଡିରେ ଆଉ ଜଣେ ରାଜକୁମାରୀ, କହିଲେ ଏଇଠି ରହିବି ଓ ଲୋକଙ୍କ ସେବା କରିବି

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ପ୍ରଥମଥର ପାଇଁ ପାରଳାଖେମୁଣ୍ଡି ଆସିଛନ୍ତି ସ୍ୱର୍ଗତ ମହାରାଜା ଗୋପୀନାଥ ଗଜପତିଙ୍କ ଭାଇବୋହୂ ଓ ଝିଆରୀ । ସେମାନେ ହେଉଛନ୍ତି ଗୋପୀନାଥ ଗଜପତିଙ୍କ ଭାଇ ସର୍ବଜ୍ଞ ଜଗନ୍ନାଥ ଗଜପତି ନାରାୟଣ ଦେବଙ୍କ ଧର୍ମପତ୍ନୀ ଓ ଝିଅ । ଗତକାଲି ଏଠାରେ ପହଞ୍ଚିବା ପରେ ଜଗନ୍ନାଥ ଗଜପତିଙ୍କ ଧର୍ମପତ୍ନୀ ଶୈଲଜା ଦେବୀ ଓ ଝିଅ ନବନୀତା ଗଜପତି ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଏହା ସହିତ ସେବାୟତମାନଙ୍କୁ ବସ୍ତ୍ର ଦାନ କରିଥିଲେ ।

ପରେ ନବନୀତା ଗଜପତି ପାରଳାଖେମୁଣ୍ଡି ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ । ଏହି ଅବସରରେ ନବନୀତା ଗଜପତି ଗଣମାଧ୍ୟମ ସହ କଥା ହୋଇଥିଲେ । ସେମାନେ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆସିଛନ୍ତି ଏବଂ କୌଣସି ସମ୍ପତ୍ତି ବିବାଦ ନେଇ ଆସିନଥିବା କହିଛନ୍ତି । ଆହୁରି ମଧ୍ୟ ଭଗବାନ ଚାହିଁଲେ ସେ ଏଇଠି ରହିବେ ବୋଲି କହିଥିଲେ । କିନ୍ତୁ ଚେନ୍ନାଇରୁ ଆସି ତହସିଲ ଅଫିସକୁ ଯାଇ ଲିଗାଲ ହେୟାର ସାର୍ଟିଫିକେଟ୍‌ ପାଇଁ ଆବେଦନ କରିବା ଓ ଅନ୍ୟ କେତେ ବିଷୟରେ ପାଇଁ ପଚରା ଉଚରା କରିବା ନେଇ ଅନେକ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । କାରଣ ବହୁ ପୂର୍ବରୁ ଦୁଇ ଭାଇ ଗୋପୀନାଥ ଗଜପତି ଓ ଜଗନ୍ନାଥ ଗଜପତିଙ୍କ ମଧ୍ୟରେ ସମ୍ପତ୍ତିର ଭାଗବଣ୍ଟା ସରିଛି । କିଛି ସମ୍ପତ୍ତି ପାଇଁ ଅଦାଲତରେ ମାମଲା ଚାଲିଛି ।

 

NABANITA-1

ଏଭଳି ସ୍ଥିତିରେ ଅଚାନକ ଜଗନ୍ନାଥ ଗଜପତିଙ୍କ ପତ୍ନୀ ଓ ଝିଅ ଆସି ଏପରି ତହସିଲ କାର୍ଯ୍ୟାଳୟରେ ଅନୁସନ୍ଧାନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ପାରଳା ଇତିହାସରେ ପ୍ରଥମ ଥର ହୋଇଛି । ତେବେ ପିତା ଗୋପୀନାଥ ଗଜପତିଙ୍କ ସ୍ୱର୍ଗବାସ ପରେ ତାଙ୍କ ଝିଅ କଲ୍ୟାଣୀ ଗଜପତି ବର୍ତ୍ତମାନ ପାରଳା ରାଜ ସିଂହାସନ ଅଳଙ୍କୃତ କରିଛନ୍ତି । ସମସ୍ତ ପରିଚାଳନାରୁ ଆରମ୍ଭ କରି କର୍ମଚାରୀମାନଙ୍କୁ ଦରମା, ଭତ୍ତା ପ୍ରଦାନ କରି ଆସୁଛନ୍ତି ।

ସେପଟେ ଗତକାଲି ସନ୍ଧ୍ୟାରେ ସର୍କିଟ୍‌ ହାଉସ ଠାରେ ସୁଶ୍ରୀ ନବନୀତା ଗଜପତି ଏକ ସମ୍ବାଦିକ ସମ୍ମିଳନୀ କରି କିଛି ଚର୍ଚ୍ଚିତ ବୟାନ ଦେଇଛନ୍ତି । ସେ କହିଛନ୍ତି, ଅନେକ ଦିନରୁ ପାରଳାଖେମୁଣ୍ଡି ଆସିନଥିଲି ଚେନ୍ନାଇରେ ରହୁଥିଲି ଓ ବିଦେଶରେ ଚାକିରି କରୁଥିଲି । ଇଷ୍ଟଦେବୀ ମାଣିକେଶ୍ୱରୀଙ୍କ ଦର୍ଶନ ପାଇଁ ଆସିଥିଲି । ତେବେ ତହସିଲ କାର୍ଯ୍ୟାଳୟକୁ ଯାଇ ଲିଗାଲ ହେୟାର ପାଇଁ କାହିଁକି ପଚରା ଉଚରା କରୁଥିଲେ ବୋଲି ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଲୋକେ ଭାବୁଛନ୍ତି କୃଷ୍ଣଚନ୍ଦ୍ର ଗଜପତିଙ୍କ ଆଉ କେହିଁ ଉତ୍ତରାଧିକାରୀ ନାହାନ୍ତି । ତେଣୁ ଲିଗାଲ ହେୟାର ନେବାକୁ ଆସିଛି । ଆମେ ମଧ୍ୟ କୃଷ୍ଣଚନ୍ଦ୍ର ଗଜପତିଙ୍କ ପରିବାର । ଗୋପୀନାଥ ଗଜପତି ଓ ଜଗନ୍ନାଥ ଗଜପତିଙ୍କ ସମ୍ପର୍କ ତିକ୍ତ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସତ ନୁହେଁ । ଏହା ବାହାର ଲୋକଙ୍କ ଦ୍ୱାରା ସୃଷ୍ଟି କରାଯାଇଛି । ତେଣୁ ଦୁଇ ଭାଇଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇ ମତାନ୍ତର ହୋଇଥିଲା । ତାହା ସୁଧାରିବାକୁ ଚାହୁଁଛି । ଭଗବାନ ଚାହିଁଲେ ଆମେ ଦୁଇ ପରିବାର ପୂର୍ବ ଭଳି ମିଶିକି ରହିବୁ । ଆମର ଅନେକ ସମ୍ପତ୍ତି ଜବରଦଖଲରେ ଅଛି । ତାହାର ହିସାବ କରି ପଦକ୍ଷେପ ନିଆଯିବ ଏବଂ ବେଆଇନ ଜବରଦଖଲକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ନବନୀତା ଗଜପତି ।

ପ୍ରାୟ ୩୦ ବର୍ଷ ପରେ ଆସି ରାଜପ୍ରାସାଦକୁ ଦେଖି କଣ ଅନୁଭବ ହେଉଛି ବୋଲି ପ୍ରଶ୍ନରେ ସେ କହିଛନ୍ତି ଯେ ପୂର୍ବରୁ ଭଲ ଥିଲା ବର୍ତ୍ତମାନ ଦୟନୀୟ ଅବସ୍ଥାରେ ଅଛି । ପ୍ୟାଲେସ ଦେଖିବାକୁ ଇଚ୍ଛା ଅଛି କିନ୍ତୁ ଏବେ ନୁହେଁ, ସମୟରେ ଆସିଲେ ଯିବି । ଏଠାକୁ ବାରମ୍ବାର ଆସିବି ଓ ଅଧିକ ଦିନ ରହିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି । ତା ସହିତ ମନ୍ଦିରଗୁଡିକର ବିକାଶ ଓ ଭଗବାନଙ୍କ ସେବା କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି। ଜଗନ୍ନାଥ ମନ୍ଦିରର କୌଣସି ଟ୍ରଷ୍ଟ ନାହିଁ, ଆମେ ଟ୍ରଷ୍ଟ କରି ସମସ୍ତଙ୍କ ସହଯୋଗରେ ନିର୍ମାଣ କାମ କରାଇବୁ ବୋଲି ନବନୀତା କହିଛନ୍ତି।

କଲ୍ୟାଣୀ ଗଜପତିଙ୍କୁ ରାଜନୀତିରେ ସୁଯୋଗ ମିଳିଛି ତେଣୁ ତାଙ୍କର ସେମିତି କିଛି ଅଭିଳାଷ ରହିଛି କି ପଚରା ଯିବାରୁ ସେ କହିଥିଲେ, ମୁଁ ସେଭଳି କିଛି ଚିନ୍ତା କରିନି, ସମୟ ସୁଯୋଗ ମିଳିଲେ ସେବା କରିବି । ଆମ ପରିବାର ଜନସାଧାରଣଙ୍କ ସେବା କରିବାର ଇତିହାସ ରହିଛି । ରାଜପରିବାରର ଐତିହ୍ୟଗୁଡିକର ବିକାଶ ପାଇଁ କାର୍ଯ୍ୟ କରିବି । କାରଣ ସମସ୍ତେ ଜାଣିବା ଆବଶ୍ୟକ ଯେ ଏହାର ଐତିହ୍ୟ କେତେ ଗୁରୁତ୍ୱପୂର୍ଣ୍ଣ । ବିଏନ ପ୍ୟାଲେସର ପୁନରୁଦ୍ଧାର ଓ ବିକାଶ ହୋଇ ପାରିଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବା ସହ ସମଗ୍ର ଭାରତ ବର୍ଷରେ ଆମ ପାଇଁ ଏହା ଗର୍ବ ଓ ଗୌରବ ଆଣି ପାରିବ । ତେବେ ଦୁଇଟି ପରିବାର ମଧ୍ୟରେ ସମ୍ପତ୍ତିର ସମାନ ଭାଗବଣ୍ଟା ହୋଇ ନଥିବା ସେ କହିଛନ୍ତି । ସମସ୍ତଙ୍କୁ ସମାନ ଭାଗ ମିଳିବା ଉଚିତ । ତା ସହିତ ଅଦାଲତ ଉପରେ ତାଙ୍କର ବିଶ୍ୱସ ରହିଛି ବୋଲି ନବନୀତା ଗଜପତି କହିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.