ବର୍ଷାଙ୍କୁ ଅନୁଭବ ଓକିଲଙ୍କ ଜେରା, ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା ଅଦାଲତି ପ୍ରକ୍ରିୟା

କଟକ(କେନ୍ୟୁଜ୍): ଓଲିଉଡର ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷାପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଆଜି ପୁଣିଥରେ ଉଭୟ କଟକ ପରିବାର ଅଦାଲତରେ ହାଜର ହୋଇଥିଲେ। ପରିବାର ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଆଜିଠାରୁ ବର୍ଷାଙ୍କୁ ଜେରା ଆରମ୍ଭ କରିଛନ୍ତି ଅନୁଭବଙ୍କ ଓକିଲ। ଏହି ଜେରା ପ୍ରକ୍ରିୟା ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଚାଲିବ। ଶାଶୁଘର ଚାବିକୁ ଆସନ୍ତା ୨ ତାରିଖରେ ବର୍ଷା ହସ୍ତାନ୍ତର କରିବେ ବୋଲି ଆଜି ତାଙ୍କ ଓକିଲ ସୂଚନା ଦେଇଛନ୍ତି।

ଦାୟର ଛାଡ଼ପତ୍ର ମାମଲା ଉପରେ ନିଜର ପକ୍ଷ ରଖିବା ଲାଗି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି କଟକ ପରିବାର ଅଦାଲତରେ ହାଜର ହୋଇଥିଲେ। ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ। ପ୍ରାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଅଦାଲତି ପ୍ରକ୍ରିୟା ଚାଲିବା ପରେ ଉଭୟ ଷ୍ଟାର ଦାମ୍ପତ୍ତି କୋର୍ଟରୁ ବାହାରିଥିଲେ। ଆଜିର ଜେରା ସମୟରେ ବର୍ଷା ସମସ୍ତ ପ୍ରକାରର ସହଯୋଗ କରିଛନ୍ତି କିନ୍ତୁ ଅଦାଲତି କାମପାଇଁ ଆବଶ୍ୟକ ପଡୁଥିବା ଅନେକ ଗୁରୁତ୍ୱପୂର୍ଣ କାଗଜପତ୍ର ଦାଖଲ କରିନାହାନ୍ତି ବୋଲି କହିଛନ୍ତି ଅନୁଭବ ମହାନ୍ତିଙ୍କ ଓକିଲ।

ବର୍ଷା ନିଜର ପକ୍ଷ ରଖିବା ସହ ଅଦାଲତି କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ବୋଲି କହିଛନ୍ତି ତାଙ୍କ ଓକିଲ। ଚାବି ହସ୍ତାନ୍ତର ପ୍ରସଙ୍ଗରେ ଏସଡ଼ିଜେଏମଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୨ ତାରିଖରେ କୋର୍ଟଙ୍କ ଉପସ୍ଥିତିରେ ଏହାକୁ ହସ୍ତାନ୍ତର କରାଯିବ ନଚେତ ସେହିଦିନ କୋର୍ଟରେ ଚାବି ଦାଖଲ କରାଯିବ ବୋଲି କହିଛନ୍ତି ବର୍ଷାପ୍ରିୟଦର୍ଶିନୀଙ୍କ ଓକିଲ।