ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟ ପଛରେ କିଏ ? ସୋମବାର ଠାରୁ ବଡ଼ବଡ଼ିଆଙ୍କୁ ଜେରା କରିପାରେ ଇଡି

ଭୁବନେଶ୍ୱର : ଅର୍ଚ୍ଚନା ନାଗ ମାମଲାରେ କାଲି (ସୋମବାର) ଠାରୁ ଇଡିରେ ହାଜର ହେବେ କିଛି ବଡ଼ବଡ଼ିଆ । ଜମି ମାଲିକ, ରାଜନେତା, ସୁନା ବ୍ୟବସାୟୀଙ୍କୁ ଜେରା ପାଇଁ ବଡ଼ ପ୍ଲାନ କରିଛି ଇଡି । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟ ପରିଜାଙ୍କ ସହ ହୋଇପାରେ ମୁହାଁମୁହିଁ ଜେରା ।

ବଡ଼ବଡ଼ିଆଙ୍କ ପାଇଁ ବିଗ୍ ପ୍ଲାନ କରୁଛି ଇଡି । ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟ ପଛରେ କିଏ? କାହା ପ୍ରୋତ୍ସାହନରେ ବଢୁଥିଲା ନାଗ ସାମ୍ରାଜ୍ୟ? କାଲି ଠାରୁ ବଡ଼ବଡ଼ିଆଙ୍କୁ ଜେରା କରିପାରେ ଇଡି। କିଛି ପ୍ରଭାବଶାଳୀଙ୍କୁ ଜେରା ପାଇଁ ନୋଟିସ କରିଛି ତଦନ୍ତକାରୀ ସଂସ୍ଥା। ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଅର୍ଚ୍ଚନାଙ୍କ ଘରର ଜମି ମାଲିକ, ସୁନା ବ୍ୟବସାୟୀ, ରାଜନେତା, ଖଣି ବ୍ୟବସାୟୀଙ୍କୁ ଜେରା କରିବାକୁ ତାଲିକା ପ୍ରସ୍ତୁତ କରିଛି ଇଡି। ମଙ୍ଗଳବାର ଦିନ ଇଡିରେ ହାଜର ହୋଇପାରନ୍ତି ସତ୍ୟବିହାର ଘର ଜମି ମାଲିକ। ୨୦୧୯ରେ ଏହି ଜମି କିଣିଥିଲେ ଅର୍ଚ୍ଚନା। କେମିତି ହୋଇଥିଲା ଜମି କିଣାବିକା? ଟଙ୍କା ନଗଦରେ ନା ଚେକ୍ରେ ଦିଆଯାଇଥିଲା? ବଜାର ଦର ଅନୁସାରେ ନା କାହା ଚାପରେ ପଡ଼ି ଶସ୍ତାରେ ବିକିଥିଲେ କି ଜମି? ଜମି ମାଲିକଙ୍କ ବୟାନରୁ ମିଳିପାରେ ଅର୍ଚ୍ଚନା ସେକ୍ସଟର୍ସନ କାରବାରର ଅଜଣା ତଥ୍ୟ।

ଶ୍ରଦ୍ଧାଞ୍ଜଳି, ଚନ୍ଦନ ଓ ଖଗେଶ୍ୱରଙ୍କୁ ଜେରା ପରେ ବହୁ ଗୁମର ହାତେଇଛି ତଦନ୍ତକାରୀ ସଂସ୍ଥା। ଆସନ୍ତା ୩୦ତାରିଖରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଇଡି ରିମାଣ୍ଡରେ ଆଣିପାରେ। ଜେରାରେ ଅର୍ଚ୍ଚନା ଠାରୁ ସବୁ ତଥ୍ୟ ଉଗାରିବାକୁ କରିଛି ଯୋଜନା । ଶ୍ରଦ୍ଧାଞ୍ଜଳି, ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ଜେରା କରି କଳାଧନ କାରବାରର ସବୁ ରହସ୍ୟ ଭେଦିବାକୁ ଟାର୍ଗେଟ ରଖିଛି ଇଡି। କାଲିଠାରୁ ଅର୍ଚ୍ଚନା ମାମଲାରେ ଇଡି ଖୁଆଡ଼ରେ ହାଜିରା ହେବେ ପ୍ରତିଷ୍ଠିତ ବ୍ୟକ୍ତି। ଅର୍ଚ୍ଚନା, ଜଗବନ୍ଧୁଙ୍କ ସଂସ୍ପର୍ଶରେ କେମିତି ଆସିଲେ? ଅର୍ଚ୍ଚନାଙ୍କ ସହ କେତେ ଟଙ୍କାର କରିଛନ୍ତି କାରବାର? କାହିଁକି ଦେଇଥିଲେ ଲକ୍ଷାଧିକ ଟଙ୍କା? ସେମାନଙ୍କୁ ତନାଘନା ଜେରା କରି ନାଗ ଦମ୍ପତିଙ୍କୁ ଘେରିବାକୁ ଚକ୍ରବ୍ୟୂହ ରଚୁଛି ଇଡି।

ବ୍ଲାକମେଲ ଓ ସେକ୍ସଟର୍ସନ ମାଧ୍ୟମରେ ଅର୍ଚ୍ଚନା ଗଢିଥିବା ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲୁଥିବା ଇଡି କାହାକୁ ବି ଛାଡ଼ିବା ମୁଡ୍ରେ ନାହିଁ। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ସଂପୃକ୍ତ ପ୍ରଭାବଶାଳୀଙ୍କୁ କିପରି ଜେରା କରାଯିବ ସେନେଇ ଇଡି ପକ୍ଷରୁ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ବଡ଼ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୁବନେଶ୍ୱର ତଦନ୍ତକାରୀ ଟିମ୍ ସହ ଦିଲ୍ଲୀରେ ତିଆରି ହେବ ଜେରାର ବ୍ଲୁପ୍ରିଣ୍ଟ। ଦିଲ୍ଲୀର ଇଡି ଅଫିସ ଓ କୋଲକାତା ଜୋନରୁ ନିର୍ଦ୍ଦେଶ ମିଳିବା ପରେ ଅର୍ଚ୍ଚନା ଆର୍ଥିକ ମାମଲାରେ ତଦନ୍ତ ଦିଗ ମୋଡ଼ ନେବା ଅନୁମାନ କରାଯାଉଛି। ଅଫିସ ବାହାରେ କଡ଼ା ସୁରକ୍ଷା ପାଇଁ ମଧ୍ୟ ଚିଠି ଲେଖିଛି ଇଡି।

ପ୍ରାଥମିକ ଖୋଳତାଡ଼ରେ ଅର୍ଚ୍ଚନା, ଜଗବନ୍ଧୁ, ଓ ଖଗେଶ୍ୱରଙ୍କ ମଧ୍ୟରେ ୩୭ଲକ୍ଷ ଟଙ୍କାର କାରବାର ତଥ୍ୟ ହାସଲ କରିଛି ଇଡି। ଖଗେଶ୍ୱର କିନ୍ତୁ ଜେରା ବେଳେ ସହଯୋଗ କରିନଥିବା ରିମାଣ୍ଡ ଆବେଦନରେ ଦର୍ଶାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଭଳି ସ୍ଥିତିରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଜେରାରୁ ହାସଲ ତଥ୍ୟ ବହୁ ପ୍ରଶ୍ନ ସୃଷ୍ଟି କରିଛି। ହନିଟ୍ରାପ୍ ପଛର ବ୍ଲୁପ୍ରିଣ୍ଟ କିପରି ଥିଲା? ଏମାନଙ୍କ ସହ ଆଉ କିଏ ଷଡ଼ଯନ୍ତ୍ରକାରୀ ସାମିଲ ଅଛନ୍ତି କି? କେଉଁ କାରବାର ପାଇଁ ହେଉଥିଲା ଟଙ୍କା ଟ୍ରାଞ୍ଜାକ୍ସନ? ସେକେଣ୍ଡ ହ୍ୟାଣ୍ଡ କାର୍ ବ୍ୟବସାୟରୁ କେମିତି କୋଟି କୋଟି ଟଙ୍କାର ମାଲିକ ହେଲା ଖଗେଶ୍ୱର? ଏହା ଉପରେ ରହିଛି ନଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.