ଜୁନିଅର କ୍ରିକେଟ ଟିମ୍ ଜିତିଲା ବିଶ୍ୱକପ୍, ବେଲୁନରେ ନିଆରା କଳାକୃତି କରି ଶୁଭେଚ୍ଛା ଜଣାଇଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

ପଞ୍ଚମ ଥର ପାଇଁ ଅଣ୍ଡର-୧୯ କ୍ରିକେଟ ବିଶ୍ୱକପ ଟ୍ରଫି ଟିମ୍ ଇଣ୍ଡିଆ ଜିତିଛି। ଫାଇନାଲରେ ଇଂଲଣ୍ଡକୁ ୪ ଓ୍ଵିକେଟରେ ହରାଇ ଟାଇଟଲ ଛଡାଇ ଆଣିଛି ଜୁନିଅର ବ୍ଲୁ ଟିମ୍। ଏହି ଅବସରରେ୧୯ ବର୍ଷରୁ କମ ଭାରତୀୟ କ୍ରିକେଟ ଦଳର ବିଜୟ ପାଇଁ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀଙ୍କର ବେଲୁନ ଉପରେ ନିଆରା କଳାକୃତି କରି ଶୁଭେଚ୍ଛା ଜଣାଇଛନ୍ତି।
ପୂର୍ବରୁ ପ୍ରିୟଙ୍କା ସାହାଣୀ ଏପରି ଅନେକ କଳାକୃତି କରି ଚର୍ଚ୍ଚା ପରିସରକୁ ଆସିଛନ୍ତି। ଭୁବନେଶ୍ୱରର ପ୍ରିୟଙ୍କା ସାହାଣୀ। ପେସାରେ ସେ ଜଣେ ସଫ୍ଟଓ୍ୱେୟାର ଡେଭଲୋପର କିନ୍ତୁ ନିଶା ତାଙ୍କର ଚିତ୍ର ଆଙ୍କିବା। ଚାକିରି ଜୀବନରୁ ସମୟ ବାହାର କରି ସେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କୁଛନ୍ତି। ଚିତ୍ରକଳା ମାଧ୍ୟମରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଦେଶ ବିଦେଶରେ ପ୍ରଦର୍ଶନ କରିବା ହେଉଛି ତାଙ୍କର ଲକ୍ଷ୍ୟ। ପ୍ରିୟଙ୍କାଙ୍କ ପ୍ରକୃତ ଘର କେନ୍ଦ୍ରାପଡ଼ା ଜିଲ୍ଲା। ସେ ଦୀର୍ଘ ବର୍ଷରୁ ରାଜଧାନୀ ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ରହୁଛନ୍ତି। ଏବେ ସେ ବେଙ୍ଗାଳୁରର ଏକ କମ୍ପାନିରେ କାମ କରନ୍ତି। ପ୍ରିୟଙ୍କାଙ୍କ କହିବା ଅନୁସାରେ କରୋନା କାଳରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯିବା ପରେ ସେ ଡିପ୍ରେସନକୁ ଚାଲିଯାଇଥିଲେ। ସେହି ସମୟରେ ତାଙ୍କୁ ବିଭିନ୍ନ କାମରେ ବ୍ୟସ୍ତ ରହିବାକୁ ପରାମର୍ଶ ଦିଆଯାଇଥିଲା। ତେଣୁ ନିଜକୁ ବ୍ୟସ୍ତ ରଖିବା ପାଇଁ ଦିନରାତି ଚିତ୍ର ଆଙ୍କୁଥିଲେ ।
ନିକଟରେ ପ୍ରିୟଙ୍କା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିରଜ ଚୋପ୍ରାଙ୍କର ଏକ ସୁନ୍ଦର ଛବି ଆଙ୍କିଥିଲେ। ସେହି ଚିତ୍ର ସେ ଏକ ଗହଣା ବାକ୍ସରେ କରିଥିଲେ। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିଲା।
ସେହିପରି ଏକ ଦୀପର ପଛପଟେ ବଲିଉଡ ଅଭିନେତା ସୋନୁ ସୁଦଙ୍କର ଚିତ୍ର ଆଙ୍କି ସେ ଚର୍ଚ୍ଚିତ ହୋଇଥିଲେ। ଏହି ଫଟୋକୁ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ ଆକଉଣ୍ଟରେ ପୋଷ୍ଟ କରିଥିଲେ। ଏଥିରେ ଅଭିନେତା ସୋନୁ ବି ପ୍ରତିକ୍ରିୟା ଦେଇଥିଲେ। କେବଳ ସେତିକି ନୁହେଁ ସେହି ପୋଷ୍ଟକୁ ସୋନୁ ନିଜ ଆକାଉଣ୍ଟରୁ ମଧ୍ୟ ସେୟାର କରିଥିଲେ।