ଶେଷରେ ଧରା ହେଲା ଦନ୍ତାହାତୀ, ଜୟ ଜଗନ୍ନାଥ ନାରା ଦେଇ କପିଳାସ ପଠାଇଲା ବନବିଭାଗ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ବରଗାଁ ସେକ୍ସନର ଲୁଇସିଂ ଗ୍ରାମରୁ କାବୁ କରିଥିବା ପଟକିଆ ଦନ୍ତାହାତୀକୁ ଶୁକ୍ରବାର ଏକ ହାଇୱା ଗାଡିରେ ଜୟ ଜଗନ୍ନାଥ ନାରା ଦେଇ କପିଳାସ ପଠାଇଲା ବନବିଭାଗ ।

ବୌଦ୍ଧ(କେନ୍ୟୁଜ୍‌)- ଶେଷରେ ଟ୍ରାଙ୍କୁଲାଇଜ କରି ଧରା ହେଲା ଦନ୍ତା ହାତୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ବରଗାଁ ସେକ୍ସନର ଲୁଇସିଂ ଗ୍ରାମରୁ କାବୁ କରିଥିବା ପଟକିଆ ଦନ୍ତାହାତୀକୁ ଶୁକ୍ରବାର ଏକ ହାଇୱା ଗାଡିରେ ଜୟ ଜଗନ୍ନାଥ ନାରା ଦେଇ କପିଳାସ ପଠାଇଲା ବନବିଭାଗ । ଏହି ପଟକିଆ ଦନ୍ତାହାତୀଟି ନୂଆ ବର୍ଷରୁ କଣ୍ଟାମାଳ ବନାଞ୍ଚଳକୁ ଆସି ଗାଁ ଗାଁ ଭିତରେ ପଶି ଘରଦ୍ଵାର ଭାଙ୍ଗି ଧାନ, ଚାଉଳ ଆଦି ଅନେକ ଶସ୍ୟ ନଷ୍ଟ କରୁଥିଲା । ଗାଁ ଭିତରେ ଥିବା ବାଡି ବଗିଚାରେ ପଶି ଅନେକ ଗଛ ଭାଙ୍ଗି ନଷ୍ଟ କରୁଥିଲା ।

ଏପରି ଅବସ୍ଥାରେ କଣ୍ଟାମାଳ ପଞ୍ଚାୟତର ଉଦେପୁର ଗାଁରେ ହାତୀଟି ପଶି ଅନେକ ଘର ଦ୍ଵାର ଭାଙ୍ଗି ଫସଲ କ୍ଷତି କରିଥିବା ପ୍ରତିବାଦରେ ଉତ୍ୟକ୍ତ ଗ୍ରାମବାସୀ ଉଦେପୁର-ତିଲିକାମାଲ ରାସ୍ତାକୁ ଦୀର୍ଘ ୭ ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରିଥିଲେ। ଆନ୍ଦୋଳନକାରୀଙ୍କ ସହ ଡିଏଫଓ ହାତୀକୁ ଧରି ଅନ୍ୟତ୍ର ପଠାଇବାର ପ୍ରତିଶୃତି ଦେଇଥିଲେ। ଫଳରେ ବନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ନିଦ ହଜେଇ ଦେଇଥିଲା ଉକ୍ତ ଦନ୍ତାହାତୀ । ଶେଷରେ ଟ୍ରାଙ୍କୁଲାଇଜ୍‌ କରି ହାତୀକୁ କାବୁ କରି ଲୁଇସିଂ ଗ୍ରାମର ଏକ ଆମ୍ବ ଗଛରେ ଲୁହା ଶିକୁଳିରେ ବାନ୍ଧି ରଖିଥିଲେ। ଆଜି ହାତୀ ଧରାଳିଙ୍କ ସହାୟତାରେ ଏକ ହାଇୱା ଗାଡ଼ିରେ କପିଳାସର ପ୍ରାଣୀ ଉଦ୍ୟାନକୁ ପଠାଯାଇଛି । ଉକ୍ତ ଅପରେସନରେ ବିଭାଗୀୟ ଡିଏଫଓ ଦେବପ୍ରିୟ କମ୍ପଙ୍କ ନେତୃତ୍ଵରେ ଏସିଏଫ ଆଶିଷ କହଁର, କଣ୍ଟାମାଳ ଭାରପ୍ରାପ୍ତ ରେଞ୍ଜ ଅଫିସର ତଥା ଏସିଏଫ କ୍ଷୀରାବ୍ଧି ପ୍ରଧାନ, ଫରେଷ୍ଟର ଚିତ୍ତରଂଜନ ପ୍ରଧାନ,ରବିନ୍ଦ୍ର କୁମ୍ଭାରଙ୍କ ସହ ରେଞ୍ଜ ଅଧିନ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.