Below header

ଯାତ୍ରୀଙ୍କୁ ନିଶା ଦେଇ ଲୁଟିଲେ ଅଟୋ ଚାଳକ, ଏୟାର ଫିଲ୍ଡ ଥାନାରେ ମାମଲା ରୁଜୁ

ଲୁଟ କରିବା ପରେ ତାଙ୍କୁ ମଧୁସୁଦନ ପାର୍କ ନିକଟରେ ଫୋଫାଡି ଦେଇ ଚାଲି ଯାଇଥିଲା ଲୁଟେରା ଅଟୋ ଚାଳକ। ସକାଳୁ ପାର୍କକୁ ଆସୁଥିବା ଲୋକ ରବିଙ୍କୁ ଦେଖି ପିସିଆରକୁ ଖବର ଦେଇଥିଲେ

ଭୁବନେଶ୍ୱର(କେନ୍ୟୁଜ୍): ଲୁଟ୍ ର ଶିକାର ହେଲେ ଯୁବକ ଜଣକ। ଚେନ୍, ମୁଦି, ମୋବାଇଲ ଓ ଟଙ୍କା ଲୁଟି ନେଇ ରାସ୍ତାରେ ଫିଙ୍ଗି ଦେଇଗଲା ଦୁର୍ବୃତ୍ତ । ତେବେ ଦୁର୍ବୃତ୍ତ ଜଣକ ଆଉ କେହି ନୁହଁ ସେ ହେଉଛି ଅଟୋ ଚାଳକ । ଯେଉଁ ଅଟୋରେ ଯାତ୍ରୀ ଭାବେ ଯୁବକ ଜଣକ ବସି ଘରକୁ ଫେରୁଥିଲେ ସେହି ଅଟୋ ଚାଳକ ହିଁ
ଯୁବକଙ୍କୁ ନିଶା ଦେଇ ଲୁଟିନେଲା ସବୁ କିଛି । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ କଳିଙ୍ଗବିହାର ଫେରୁଥିବାବେଳେ ଘଟିଛି ଏହି ଲୁଟପାଟ । ଲୁଟର ଶୀକାର ହୋଇଛନ୍ତି ବାଙ୍କୀ ବଇଦେଶ୍ୱରର ରବି ନାରୟଣ ପାତ୍ର ।

ଗତକାଲି ରବି ପୁରୁଷୋତ୍ତମ ଏକ୍ସପ୍ରେସରେ ଦିଲ୍ଲୀରୁ ଆସି ପହଁଚିଥିଲେ ଭୁବନେଶ୍ୱର ଷ୍ଟେସନରେ । ପାଖାପାଖି ସାଢେ଼ ୪ଟା ବେଳେ ସେ ପହଞ୍ଚିଥିଲେ। କଳିଙ୍ଗ ବିହାର ଯିବା ପାଇଁ ଷ୍ଟେସନ ବାହାରୁ ଅଟୋ ଧରିଥିଲେ। ଅଧା ବାଟରେ ଅଟୋ ଚାଳକ ତାଙ୍କୁ ଚା ପିଇବାକୁ ଯାଚିଥିଲା । ରବି କିଛି ନଭାବି ଅଟୋ ଚାଳକର ମାୟାରେ ଫସିଯାଇଥିଲେ ଏବଂ ସେହି ଚାକୁ ପିଇ ଦେଇଥିଲେ । ତେବେ ଚା ପିଇବାର କିଛି ସମୟ ଭିତରେ ରବି ଅଚେତ ହୋଇପଡିଥିଲେ । ପରେ ତାଙ୍କ ସୁନା ମୁଦି, ଚେନ, ୧୭ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଚମ୍ପଟ ମାରିଥିଲା ଅଟୋ ଚାଳକ ।

ତେବେ ଲୁଟ କରିବା ପରେ ତାଙ୍କୁ ମଧୁସୁଦନ ପାର୍କ ନିକଟରେ ଫୋଫାଡି ଦେଇ ଚାଲି ଯାଇଥିଲା ଲୁଟେରା ଅଟୋ ଚାଳକ। ସକାଳୁ ପାର୍କକୁ ଆସୁଥିବା ଲୋକ ରବିଙ୍କୁ ଦେଖି ପିସିଆରକୁ ଖବର ଦେଇଥିଲେ । ଏବେ ପିସିଆର ପହଁଚି ରବିଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ଏବେ ତାଙ୍କର ଚିକିତ୍ସା ଜାରି ରହିଛି । ଏନେଇ ଏୟାର ଫିଲ୍ଡ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ସହ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.