ଗଞ୍ଜାମରେ ଗୋଟିଏ ଦିନରେ ଦୁଇଟି ଏନକାଉଣ୍ଟର, ବାରମ୍ବାର ପୋଲିସ ହାତରୁ ଚମ୍ପଟ ମାରୁଥିବା ବାବୁ ନାୟକ ମୃତ

ଗଞ୍ଜାମ : ଥରେ ନୁହଁ ଦି ଦି ଥର ଖସିଲା, ଏବେ ତୃତୀୟ ଥର ବେଳକୁ କାମ ତମାମ୍‌ । ଗଞ୍ଜାମର କୁଖ୍ୟାତ ଅପରାଧୀ ବାବୁ ନାୟକର ଖେଳ ସରିଲା । ପୋଲିସ ଧରୁଥିଲା, ସେ ଚମ୍ପଟ ମାରୁଥିଲା । ଏବେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାୟକ ମୃତ । ଜଗନ୍ନାଥ ପ୍ରସାଦ ନିକଟରେ ଆଜି ହୋଇଥିଲା ଏନ୍‌କାଉଣ୍ଟର। ଏହି ଏନ୍‌କାଉଣ୍ଟର ଟିମ୍‌ର ଲିଡ୍‌ର ଥିଲେ ମହିଳା ପୋଲିସ ଅଧିକାରୀ ବୈଦେହୀ ବେହେରା। ଏନ୍‌କାଉଣ୍ଟରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ। ପୂର୍ବରୁ ବାବୁ ଦୁଇ ଦୁଇଥର ପୋଲିସ ହେପାଜତରୁ ଖସି ପଳାଇଥିଲା। ତା ନାଁରେ ୩୦ରୁ ଅଧିକ ମାମଲା ଥିଲା। ଗଞ୍ଜାମରେ ଆଜି ଗୋଟିଏ ଦିନରେ ଦୁଇଟି ଏନକାଉଣ୍ଟର ହୋଇଥିଲା।

ବୁଗୁଡ଼ା ଥାନା ଅନ୍ତର୍ଗତ ମାଣିତରା ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଥିଲା ବାବୁ। ଗତ ମେ ମାସ ୨୪ରେ ପ୍ରାୟ ୮ ଲକ୍ଷ ଟଙ୍କା ସହ ୧୦ କିଲୋଗ୍ରାମ ସୁନା ଲୁଟ୍‌ କରିଥିଲା ବାବୁ ନାୟକ। ଅଗଷ୍ଟ ୩ ତାରିଖରେ ପୋଲିସ ଏନ୍‌କାଉଣ୍ଟରରେ ଆହତ ହୋଇ ଧରା ପଡିଥିଲା ବାବୁ। ଭଞ୍ଜନଗର ସବଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହିଥିଲା। ସୁଯୋଗ ଦେଖି ଗତ ସେପ୍ଟେମ୍ବର ୯ ତାରିଖରେ ଜେଲ୍‌ ପାଚେରି ଡେଇଁ ଚମ୍ପଟ ମାରିଲା ବାବୁ। ସେତେବେଳେ ବଦଳି ହୋଇଥିଲେ ଜେଲର ଓ ନିଲମ୍ବିତ ହୋଇଥିଲା ୨ ଜଣ ଜେଲ୍‌ କର୍ମଚାରୀ। ସେ ପୁଣି ଧରାପଡିଥିଲା ଅକ୍ଟୋବର ୧୦ ତାରିଖରେ। ପୋଲିସ ପିଛା କରୁଥିବା ବେଳେ ସେ ଧରିଥିବା ବୋମା ଫୁଟି ଯିବାରୁ ଆହତ ହୋଇଥିଲା ବାବୁ। ଚିକିତ୍ସିତ ହେଉଥିଲା ବ୍ରହ୍ମପୁର ମେଡିକାଲରେ। ଏଠାରେ ମଧ୍ୟ ଗତମାସ ୨୫ରେ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ ମାରିଥିଲା ବାବୁ। ନିଲମ୍ବିତ ହୋଇଥିଲେ ଜଣେ ହୋମଗାର୍ଡଙ୍କ ସହ ୪ ଜଣ କନେଷ୍ଟବଳ। ଏବେ ପୁଣି ଏନ୍‌କାଉଣ୍ଟର ହେଲା।

ସେପଟେ ଆଜି ଖଲ୍ଲିକୋଟରେ ପୋଲିସ ଗୁଳିରେ ଆହତ ହୋଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ୍‌ ମଣି। ତାର ଡାହାଣ ଗୋଡ଼ରେ ବାଜିଥିଲା ଗୁଳି। ମାଛୁଆର ଘର ନୟାଗଡ଼ ଜିଲ୍ଲା ରଣପୁରରେ। ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ ଥାନାରେ ମଣି ନାଁରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଛି। ତା ନିକଟରୁ ଗୋଟିଏ ପିସ୍ତଲ, ୩ଟି ଗୁଳି ଓ ବାଇକ୍‌ ଜବତ ହୋଇଛି। ଆଜି ବଡ଼ ଦିନରେ ଗଞ୍ଜାମ ଜିଲ୍ଲାରେ ହୋଇଛି ଦୁଇଟି ବଡ଼ ଏନ୍‌କାଉଣ୍ଟର।