କିସ୍ ଶ୍ରୀବାଣୀ କ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଳିତ

ଭୁବନେଶ୍ବର (କେନ୍ୟୁଜ୍) : ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଲେ ମହାପ୍ରଭୁ । ନବଦିନାତ୍ମକ ଯାତ୍ରା ସାରି ପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର, ମାତା ସୁଭଦ୍ର ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି ।ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ପହଣ୍ଡି ଆଦି ନୀତିକାନ୍ତି ସମ୍ପନ୍ନ ହେବା ପରେ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ବାହୁଡ଼ା ଯାତ୍ରା ପ୍ରସ୍ତୁତି । କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସମାନ୍ତଙ୍କ ଦ୍ୱାରା ଅପରାହ୍ନ ସାଢେ ୩ଟାରେ ତିନି ରଥରେ ଛେରା ପହଁରା କାର୍ଯ୍ୟ ସଂପାଦିତ ହୋଇଥିଲା ।

ଅପରାହ୍ନ ସାଢେ ୪ଟାରେ ଭକ୍ତମାନେ ତିନି ଠାକୁରଙ୍କ ରଥକୁ ଟାଣିଥିଲେ । ଶ୍ରୀବାଣୀକ୍ଷେତ୍ର ରଥଯାତ୍ରାର ଏକ ବିଶେଷତ୍ୱ ହେଉଛି ଏଠାରେ ଦେବୀ ଶୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି । ତିନି ରଥକୁ ଶିଖରଚଣ୍ଡି ମନ୍ଦିର ପାଦ ଦେଶରେ ନିର୍ମିତ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରୁ ଶୀବାଣୀକ୍ଷେତ୍ର ପର୍ଯ୍ୟନ୍ତ ଟଣାଯାଇଥିଲା । ଆଜି ସାମାନ୍ୟ ବର୍ଷା ହୋଇଥିଲେ ମଧ୍ୟ ବାହୁଡ଼ାଯାତ୍ରା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୩୦ ହଜାର ଭକ୍ତ ସମାଗମ ହୋଇଥିଲେ ।

ଭକ୍ତି ଓ ଭାବର ସହ ମହା ଆନନ୍ଦରେ ଭକ୍ତମାନେ । ଘଣ୍ଟଘଣ୍ଟା, ମୃଦଙ୍ଗ, ଓ ହୁଳହୁଳିରେ କମ୍ପିଥିଲା ରଥଦାଣ୍ଡ । ଆସନ୍ତାକାଲି ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ । ଭକ୍ତମାନେ ଯେପରି ସୁଚାରୁ ରୂପେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.