Below header

ବୈଜୟନ୍ତ କାହିଁକି ଚାହୁଁଥିଲେ ସଂସଦୀୟ ଫାଇନାନ୍ସିଆଲ କମିଟି ଅଧ୍ୟକ୍ଷ ପଦ ? ତଥ୍ୟପ୍ରମାଣ ସହ ଗୁମର ଖୋଲିଲା ବିଜେଡି

ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ଅନ୍‌ ଫାଇନାନ୍ସର ଅଧ୍ୟକ୍ଷ ହେବାକୁ କାହିଁକି ଚାହୁଁଥିଲେ ବୈଜୟନ୍ତ ପଣ୍ଡା ? ଏହା ପଛରେ କ’ଣ ଥିଲା ବୈଜୟନ୍ତଙ୍କର ଭିତିରି ଉଦ୍ଦେଶ୍ୟ ? ଏହାର ତଥ୍ୟ ପ୍ରମାଣ ସହ ବୈଜୟନ୍ତଙ୍କ ଗୁମର ଖୋଲିଛି ବିଜେଡି। ଇମ୍ଫା କମ୍ପାନୀ ସହ କିଛି ସମ୍ପର୍କ ନାହିଁ ବୋଲି କହି ଆସୁଥିବା ବୈଜୟନ୍ତ ପଣ୍ଡାଙ୍କ ବାବଦରେ ହଇଚଇ ସୃଷ୍ଟି କଲା ଭଳି ତଥ୍ୟ ସାମ୍ନାକୁ ଆଣିଛି ବିଜେଡି। ବୈଜୟନ୍ତଙ୍କର ଦୁଇଟି ବଡ଼ ମିଛର ଫର୍ଦ୍ଦାଫାସ ହୋଇଛି । ବୈଜୟନ୍ତ ଓ ଇମ୍ଫାର ଭିତିରି ସମ୍ପର୍କକୁ ନେଇ ଏ ଦସ୍ତାବିଜ୍‌ ଅନେକ କିଛି ବୟାନ କରୁଛି। ୨୦୧୪ ମସିହା ୨୦ ମେ । ଇମ୍ଫାର ବୋର୍ଡ ଅଫ ଡିରେକ୍ଟର୍ସ ବୈଠକ ବସିଥିଲା। ଏଥିରେ ବୈଜୟନ୍ତ ପଣ୍ଡା ନିଜେ ତଥ୍ୟ ଦେଇଛନ୍ତି, ଶ୍ରେୟୀ ଇନଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିମିଟେଡ ଠାରୁ ୧୧୦ କୋଟି ଟଙ୍କା ଋଣ ଉତ୍କଳ କୋଲ ଲିମିଟେଡକୁ ମିଳିଛି। ଏହି ତଥ୍ୟରୁ ସ୍ପଷ୍ଟ ହେଉଛି ଇମ୍ଫାର ବିତ୍ତୀୟ କାରବାରରେ ବୈଜୟନ୍ତ ପଣ୍ଡାଙ୍କର ଖୁଲମଖୁଲା ସମ୍ପର୍କ ଥିଲା।

୨୦୧୪ ମସିହା ଜୁନ୍‌ ୪ । ବିଜେଡି ଚତୁର୍ଥ ଥର ସରକାର ଗଠନ କରିବାର କିଛି ଦିନ ପରେ ଇମ୍ଫାର ଫାଇନାନ୍ସ କମିଟି ବୈଠକ ବସିଥିଲା। ଏଥିରେ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ । ଆଇସିଆଇସିଆଇ ବ୍ୟାଙ୍କରୁ ୪୩୦ କୋଟି ଟଙ୍କା ଋଣ ଆଣିବା ପାଇଁ ବୈଜୟନ୍ତଙ୍କ ଉପରେ ସମସ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲା ଇମ୍ଫାର ଫାଇନାନ୍ସ କମିଟି। ଆଇସିଆଇସିଆଇ ବ୍ୟାଙ୍କ ସହ ଋଣ ପାଇଁ ଇମ୍ପା ତରଫରୁ କଥାବାର୍ତ୍ତା ଠାରୁ ଆରମ୍ଭ କରି ଚୂଡ଼ାନ୍ତ କରିବା ପର‌୍ୟ୍ୟନ୍ତ ସମସ୍ତ ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ବିଜେଡି ଏହି ତଥ୍ୟ ସାମ୍ନାକୁ ଆଣି ବୈଜୟନ୍ତ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ଅନ୍‌ ଫାଇନାନ୍ସର ଅଧ୍ୟକ୍ଷ ହେବାକୁ କାହିଁକି ଚାହୁଁଥିଲେ ତାହାର ଖୁଲ୍ଲାସା କରିଛି। ଦଳ କହିଛି, ଅଧ୍ୟକ୍ଷ ହେବା ପରେ ସମ୍ପୃକ୍ତ ବ୍ୟାଙ୍କଗୁଡିକ ଉପରେ ଚାପ ପ୍ରୟୋଗ କରି ଇମ୍ଫା ପାଇଁ ହଜାର ହଜାର କୋଟି ଟଙ୍କା ଋଣ କରିଥାନ୍ତେ । ଏଥିରୁ ବୈଜୟନ୍ତଙ୍କ ଦୋହରା ଚରିତ୍ର ସାମ୍ନାକୁ ଆସିଛି।

ପୂର୍ବରୁ ବୈଜୟନ୍ତ କହି ଆସୁଥିଲେ ଇମ୍ଫା ସହ ତାଙ୍କର କୌଣସି ବ୍ୟାବସାୟିକ ସମ୍ପର୍କ ନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡିଥିଲା ଇମ୍ଫା ମାଇନିଂ କମ୍ପାନୀର ଉପାଧ୍ୟକ୍ଷ ପଦରେ ଥାଇ ସେ ବର୍ଷକୁ କୋଟି କୋଟି ଟଙ୍କା ନେଇଛନ୍ତି। ଏବେ ଇମ୍ପାର ବିତ୍ତୀୟ କାରବାର ନେଇ ମିଡ଼ିଆ ଆଗରେ ସମସ୍ତଙ୍କୁ ତାବୁବ୍‌ କଲା ଭଳି ବିଜେଡି ଦସ୍ତାବିଜ୍‌ ରଖିଥିବା ବେଳେ ଏନେଇ ବୈଜୟନ୍ତଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.