ବାଲେଶ୍ବର: ବିପଦ ସଂକୁଳ କୋଠାରେ ଚାଲିଛି ଡିଇଓ କାର୍ଯ୍ୟାଳୟ

ବାଲେଶ୍ୱର (କେନ୍ୟୁଜ): ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବିପଦ ସଙ୍କୁଳ କୋଠାରେ ଚାଲିଥିଲେ ହେଁ ଏଥିପ୍ରତି କାହାରି ନଜର ନପଡିବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । କେତେବେଳେ କି ପ୍ରକାର ଅଘଟଣ ଘଟିବ ତାହା ଚିନ୍ତାକରି ହେବ ନାହିଁ । କିଛି ଦିନ ହେଲା ଡିଇଓ ଅଫିସର ଛାତ ଅତଡ଼ା ଖସିବା ସହ ସିଲିଂ ଭାଙ୍ଗି ଖସି ପଡ଼ୁଥିବା ଦେଖିବାକୁ ମିଳିଛି । ଗୃହଟି ପ୍ରାୟ ୭୦ ବର୍ଷରୁ ଅଧିକ ପୁରୁଣା ହୋଇଥିବା ବେଳେ ଏହି କାର୍ଯ୍ଯାଳୟ ଭିତରେ କାର୍ଯ୍ଯ କରୁଛନ୍ତି ୩୦ କର୍ମଚାରୀ ।

କାର୍ଯ୍ଯାଳୟଟି ଏକ ପ୍ରକାର ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ପ୍ରଥମେ ଆକାଉଣ୍ଟ ବିଭାଗର ସିଲିଂ ଖସିବା ଯୋଗୁଁ କର୍ମଚାରୀ ଆହତ ହୋଇଥିଲେ। ଏବେ ପୁଣି ଛାତ ଅତଡ଼ା ଖସି ପଡିଛି। ଏମିତି ପରିସ୍ଥିତି ଭିତରେ କର୍ମଚାରୀମାନେ ଭୟରେ ଥିବା ବେଳେ କେହି କାହା ଆଗରେ ପାଟି ଫିଟାଇବାକୁ ସାହସ କରୁନାହାନ୍ତି । ରୁମ୍‌ ର ବିଭିନ୍ନ ବିଭାଗରେ ଅସୁରକ୍ଷିତ ଭାବେ କର୍ମଚାରୀ ମାନେ ଏବେବି କାମ କରୁଛନ୍ତି। ତେବେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ ଭିତରେ ୧୦ଟି ଛୋଟ ଛୋଟ ବିଭାଗ ରହିଛି। ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ବିପଦପୂର୍ଣ୍ଣ କୋଠା ଭାବେ ଛିଡାହୋଇଛି।

ଏପରି ଅସୁରକ୍ଷିତ ଗୃହରେ ଅନେକ କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଭଳି ବିପଦ ସଂକୁଳ କୋଠାରେ କାମ କରିଥିବା କର୍ମଚାରୀଙ୍କ ପ୍ରତି ବିପଦ ରହିଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜର ପଡୁନି । ଶୀଘ୍ର ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.