ବାଙ୍କୀ ଡବଲ ମର୍ଡର ଘଟଣା: ଅଭିଯୁକ୍ତଙ୍କ ନାଁରେ ଥାନାରେ ଏତଲା ଦେଲେ ମୃତ ଭାଗବାନ ସ୍ୱାଇଁଙ୍କ ଭାଇ
ବାଙ୍କୀ(କେନ୍ୟୁଜ୍): ବାଙ୍କୀ ଡବଲ ମର୍ଡର ଘଟଣାରେ ମୃତ ଭାଗବାନ ସ୍ୱାଇଁଙ୍କ ଭାଇ ବାଙ୍କୀ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରିବା ସହ ସେମାନଙ୍କ ଗିରଫ ଦାବି କରିଛନ୍ତି। ବ୍ୟବଛେଦ ପରେ ମୃତଦେହ ଗାଁକୁ ଆଣିବା ବେଳେ ଉତ୍ତେଜନ ପ୍ରକାଶ ପାଇବା ଆଶଙ୍କା ଥିବାରୁ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ନିଜେ ଅତିରିକ୍ତ ଏସପି ଖଜୁରୀପଦାରେ ଉପସ୍ଥିତ ଅଛନ୍ତି। ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାନ୍ତି। ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ହତ୍ୟାକାଣ୍ଡ ହୋଇଥିଲା। ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଅତିନିର୍ମମ ଭାବେ ନୂଆଗାଁ ପଞ୍ଚାୟତର ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଓ ଜଣେ ଯୁବ ସାମ୍ବାଦିକଙ୍କୁ ଗୋଡାଇ ଗୋଡାଇ ହତ୍ୟା କରିଥିଲେ ।
ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ଯୁବ ସାମ୍ବାଦିକ ଆଦିତ୍ୟ ରଣସିଂହ ଖଜୁରୀପଦାରୁ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ରାସ୍ତାରେ ଟାଙ୍ଗିଆ ଓ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ରାସ୍ତାରେ ୧୦ ଜଣ ଦୁର୍ବୃତ୍ତ ଏକ ତାର ଟାଣି ବାଇକ୍କୁ ଅଟକାଇଥିଲେ । ଏମାନେ ତଳେ ପଡ଼ିଯିବାରୁ ଖଣ୍ଡା ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ପ୍ରଥମେ ଆଦିତ୍ୟ ରଣସିଂହଙ୍କୁ ବାଙ୍କୀ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ SCB ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।