ଜେଲରେ ରହିବେ ପ୍ରଶାନ୍ତ ଜଗଦ୍ଦେବ, ଜାମିନ ଆବେଦନ ଖାରଜ କଲେ ବାଣପୁର ସହକାରୀ ଦୌରା ଜଜ୍

ଟାଙ୍ଗୀ(କେନ୍ୟୁଜ୍): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ। ଗତ ୨୮ ତାରିଖରେ ଜାମିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣିରେ ସହକାରୀ ଦୌରା ଜଜ୍ ମନୋରଞ୍ଜନ ମିଶ୍ର ଚିଲିକା ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ବର୍ତ୍ତମାନ ବିଧାୟକଙ୍କ ଓକିଲ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟ ଯିବେ ବୋଲି ସୂଚନା ମିଳିଛି।

ବାଣପୁର  ଜେଏମଏଫସି କୋର୍ଟରେ ଗତ ୨୨ ତାରିଖରେ ବିଧାୟକ ଗଣେଶ ଜଗଦେଵଙ୍କ  ଜାମିନ ଆବେଦନ ଖାରଜ ହେଲା ପରେ ବିଧାୟକ ବର୍ତ୍ତମାନ ବାଣପୁର ସବଜେଲରେ ଅଛନ୍ତି।   ବିଧାୟକଙ୍କ ଓକିଲ ପକ୍ଷରୁ  ବାଣପୁର ସହକାରୀ ଦୌରା ଜଜଙ୍କ ନିକଟରେ ଗତ ୨୮ ତାରିଖରେ ଜାମିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଶୁଣାଣି ସମୟରେ ଉଭୟ ବିଧାୟକଙ୍କ ଓକିଲ ଏବଂ ସରକାରୀ ଓକିଲ ନିଜ ନିଜ ପକ୍ଷରେ ଯୁକ୍ତି ବଢିଥିବା ବେଳେ ପରିଶେଷରେ ସହକାରୀ ଦୌରା ଜଜ ମନୋରଞ୍ଜନ ମିଶ୍ର ଚିଲିକା ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ବର୍ତ୍ତମାନ ବିଧାୟକଙ୍କ ଓକିଲ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟ ଯିବେ ବୋଲି ଜଣାପଡିଛି ।

ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅରୂପ ଚାନ୍ଦ ଉକ୍ତ ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଚିତ ମିଶ୍ର ଏବଂ ରମେଶ ଚନ୍ଦ୍ର ବିଷୋୟୀ ପରିଚାଳନା କରୁଥିଲେ ।

କହିରଖୁଛି କି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଥିବାରୁ ବିଜେପିର କର୍ମୀମାନେ ଏକ ବଡ ଶୋଭାଯାତ୍ରା କରୁଥିଲେ । ଏତିକି ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ କାରରେ ସେହି ଶୋଭାଯାତ୍ରା ମଧ୍ୟରେ ପ୍ରବେଶ କରିବାକୁ ପ୍ରୟାସ କରୁଥିଲେ ।

ଶୋଭାଯାତ୍ରାକାରୀମାନେ ରାସ୍ତା ନ ଛାଡିବାରୁ ବିଧାୟକ ନିଜ ଗାଡିକୁ ଜୋରରେ ଆଗକୁ ଚଢ଼େଇ ଦେଇଥିଲେ । ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜେ କାର୍‌ ଚଳାଉଥିଲେ । ଏହି ଘଟଣାରେ ବାଣପୁର ଆଇଆଇସିଙ୍କ ସମେତ ୨୦ରୁ ଅଧିକ ଆହତ ହୋଇଥିଲେ । କିଛି ବିଜେପି ମହିଳା କର୍ମୀଙ୍କ ଗୋଡ଼ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଏହାପରେ ଶୋଭାଯାତ୍ରାରେ ସାମିଲ ଥିବା ବିଜେପି କର୍ମୀମାନେ ଉତ୍ତ୍ୟକ୍ତ ହୋଇ ବିଧାୟକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏଥିରେ ବିଧାୟକଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାଣପୁର ପରେ ଭୁବନେଶ୍ୱର ଏମ୍‌ସକୁ ଅଣାଯାଇଥିଲା। ପରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା।  ସେଠାରୁ ସୁସ୍ଥ  ହେବା ପରେ ତାଙ୍କୁ ଗିରଫ କରାଯାଇ ବାଣପୁର ଜେଲକୁ ପଠାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.