ବରଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ: ଜଣେ ଗୁରୁତର

ବରଗଡ: ବଲାଙ୍ଗୀର ପରେ ଏବେ ବରଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ। ଅତାବିରା ଭାଲୁପତ୍ରା ଗାଁରେ ବିସ୍ଫୋରଣ ହୋଇଛି। ଏଥିରେ ସି. ଏଚ୍ ନାଗଭୂଷଣ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଇସିୟୁରେ ଚିକିତ୍ସିତ ହେଉଥିବା ନାଗଭୂଷଣଙ୍କୁ ଜେନେରାଲ ଓ୍ଵାର୍ଡକୁ ବାହାର କରାଯାଇଛି।
ନାଗଭୂଷଣଙ୍କ ଘର ପାଚେରୀ କାନ୍ଥରେ କେହି ଦୁର୍ବୃତ୍ତ ଏକ ବ୍ୟାଗ୍ ରଖିଥିଲେ। ନାଗଭୂଷଣ ବାହାରକୁ ଯାଉଥିବା ବେଳେ ତାଙ୍କ ନଜର ସେହି ବ୍ୟାଗ୍ ଉପରେ ପଡ଼ିଥିଲା। ସେ ବ୍ୟାଗକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ହେଲେ ବ୍ୟାଗ୍ରେ ତାଙ୍କ ହାତ ବାଜିବା ମାତ୍ରେ ବିସ୍ଫୋରଣ ହୋଇଥିଲା। ନାଗଭୂଷଣ ଚାଷବାସ ସହିତ ସାର ଓ କୀଟନାଶକ ବ୍ୟବସାୟ କରନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ, ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ଵାର୍ଡ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।