ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପାଲଟିଛି ଅସହାୟ ମାନଙ୍କ ପାଇଁ ଆଶ୍ରୟସ୍ଥଳୀ, ରହୁଛନ୍ତି ୧୨ ଜଣ ଅସହାୟ ବୃଦ୍ଧବୃଦ୍ଧା

ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପାଲଟିଛି ଅସହାୟ ମାନଙ୍କ ପାଇଁ ଆଶ୍ରୟସ୍ଥଳୀ । କାରଣ ମେଡ଼ିକାଲର ପିଏମଆର କୋଠାର ଚତୁର୍ଥ ମହଲାରେ ଖୋଲିଛି ନିରାଶ୍ରୟ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଓ୍ବାର୍ଡ଼ । ଏହି ଓ୍ବାର୍ଡ଼ରେ ବର୍ତ୍ତମାନ ରହୁଛନ୍ତି ୧୨ ଜଣ ଅସହାୟ ବୃଦ୍ଧବୃଦ୍ଧା ।

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପାଲଟିଛି ଅସହାୟ ମାନଙ୍କ ପାଇଁ ଆଶ୍ରୟସ୍ଥଳୀ । କାରଣ ମେଡ଼ିକାଲର ପିଏମଆର କୋଠାର ଚତୁର୍ଥ ମହଲାରେ ଖୋଲିଛି ନିରାଶ୍ରୟ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଓ୍ବାର୍ଡ଼ । ଏହି ଓ୍ବାର୍ଡ଼ରେ ବର୍ତ୍ତମାନ ରହୁଛନ୍ତି ୧୨ ଜଣ ଅସହାୟ ବୃଦ୍ଧବୃଦ୍ଧା । ଏହି ବୃଦ୍ଧବୃଦ୍ଧା ମାନଙ୍କ ମଧ୍ୟରୁ କିଛି ଜଣଙ୍କ ପରିବାର ଲୋକେ ତାଙ୍କୁ ମେଡ଼ିକାଲରେ ଛାଡ଼ି ଦେଇଥିବା ବେଳେ ଆଉ କିଛିଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏମକେସିଜି ମେଡ଼ିକାଲର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଏହି ବୃଦ୍ଧବୃଦ୍ଧା ମାନେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ସେମାନଙ୍କ ପରିବାର ଲୋକେ ତାଙ୍କୁ ନେବା ପାଇଁ ମନା କରିଦେବା ଯୋଗୁଁ ଏମକେସିଜି ମେଡ଼ିକାଲ ପକ୍ଷରୁ ଏକ ସ୍ବତନ୍ତ୍ର ଓ୍ବାର୍ଡ଼ ଖୋଲାଯାଇ ସେଠାରେ ରଖାଯାଇଛି । ଆଉ ଏହି ବୃଦ୍ଧବୃଦ୍ଧା ମାନଙ୍କୁ ଚିକିତ୍ସା ସେବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ନିତ୍ୟକ୍ରମ କରିବା ନିମନ୍ତେ କିଛି ମହିଳା ନର୍ସ ଓ ସ୍ବେଚ୍ଛାସେବୀ ରହୁଛନ୍ତି । ଯଦିଓ ଏମକେସିଜି ମେଡ଼ିକାଲ କଲେଜ ପକ୍ଷରୁ ଏହି ବୃଦ୍ଧବୃଦ୍ଧା ମାନଙ୍କ ଯତ୍ନ ନିଆଯିବା ସହିତ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।

ଓ୍ବାର୍ଡ଼ରେ ରହିଥିବା ୧୨ ଜଣ ବୃଦ୍ଧବୃଦ୍ଧା ମାନଙ୍କର ପ୍ରତିଦିନ କିଭଳି ସ୍ବାସ୍ଥ୍ୟବସ୍ଥା ରହିଛି ସେ ନେଇ ନର୍ସ ମାନେ ଯାଞ୍ଚ କରି ଡ଼ାକ୍ତରଙ୍କୁ ଖବର ଦେଇଥିନ୍ତି । ଡ଼ାକ୍ତରଙ୍କ ନିର୍ଦ୍ଧେଶ ପ୍ରକାରେ ବୃଦ୍ଧବୃଦ୍ଧା ମାନଙ୍କୁ ବିଭିନ୍ନ ଔଷଧ ଓ ଇଞ୍ଜେକସନ ଦେଇଥାନ୍ତି ନର୍ସ ମାନେ । ଠିକ୍‌ ସେହିପରି ବୟସ ଅଧିକ ହୋଇଥିବା ଯୋଗୁଁ ବୃଦ୍ଧବୃଦ୍ଧା ମାନେ ନିଜର ନିତ୍ୟକର୍ମ ମଧ୍ୟ କରିବା ନିମନ୍ତେ ସକ୍ଷମ ନାହାନ୍ତି । ତେଣୁ ସ୍ବେଚ୍ଛାସେବୀ ଅନୁଷ୍ଠାନର ମହିଳା ମାନେ ସମସ୍ତ ବୃଦ୍ଧବୃଦ୍ଧା ମାନଙ୍କୁ ଖାଇବା ଠାରୁ ଆରମ୍ଭ କରି ଗାଧେଇବା, ପୋଷାକ ପରିଧାନ କରିବା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସେବା ଯୋଗାଇଥାନ୍ତି ।

ସେପଟେ ପୂର୍ବରୁ ୬ ଜଣ ଅସହାୟ ବୃଦ୍ଧବୃଦ୍ଧା ଏମକେସିଜି ମେଡ଼ିକାଲକୁ ଆସିଥିବା ବେଳେ ସେମାନଙ୍କୁ ଡ଼ାଇରିଆ ଓ୍ବାର୍ଡ଼ରେ ରଖାଯାଇଥିଲା । ବର୍ତ୍ତମାନ ବୃଦ୍ଧବୃଦ୍ଧା ମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨ରେ ପହଞ୍ଚିଥିବା ଯୋଗୁଁ ସେମାନଙ୍କ ନିମନ୍ତେ ନିରାଶ୍ରୟ ଓ୍ବାର୍ଡ଼ ନାମରେ ଏକ ସ୍ବତନ୍ତ୍ର ଓ୍ବାର୍ଡ଼ ଖୋଲାଯାଇ ବୃଦ୍ଧବୃଦ୍ଧାଙ୍କୁ ରଖାଯାଇଛି । ସେମାନଙ୍କୁ ନିୟମିତ ଭାବେ ଚିକିତ୍ସା ସେବା ଯୋଗାଇ ଦିଆଯିବା ସହିତ ସେମାନେ କିଭଳି ନିଜର ଏକୁଟିଆ ନ ମନେ କରନ୍ତି ତେଣୁ ସେମାନଙ୍କ ନିମନ୍ତେ ବିଭିନ୍ନ ଦେବାଦେବୀଙ୍କ ଭଜନ ଲଗାଯାଉଛି । ଯାହାଫଳରେ ଖାଇପିଇ ବେଶ ଆନନ୍ଦର ସହିତ ଓ୍ବାର୍ଡ଼ରେ ବୃଦ୍ଧବୃଦ୍ଧା ମାନେ ରହୁଥିବା କହିଛନ୍ତି ମେଡ଼ିକାଲର ଅଧିକ୍ଷକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.