ୟୁଟ୍ୟୁବରୁ ତାଲା ଭାଙ୍ଗିବା କୌଶଳ ଶିଖିବା ପରେ ଘରୁ ବୁଲାଉଥିଲେ କଳାକନା,  ୫୪୦ ଗ୍ରାମ ସୁନା ଅଳଙ୍କାର ସହ ଦାମୀ କାର ଜବତ ସହ ୫ ଗିରଫ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ପୋଲିସକୁ ମିଳିଲା ପୁଣି ଏକ ବଡ଼  ସଫଳତା  । ଦୀର୍ଘ ତିନି ବର୍ଷ ଧରି ବ୍ରହ୍ମପୁର ସହର ସମେତ ଆଖାପାଖ ଅଞ୍ଚଳରୁ ବିଭିନ୍ନ ଘରୁ କିଛି ଦିନ ବ୍ୟବଧାନରେ ଚୋରି କରୁଥିବା ଚୋର ଗ୍ୟାଙ୍ଗକୁ ଧରିଛି ପୋଲିସ  । ଏହି ଗ୍ୟାଙ୍ଗ ବିଶେଷ କରି ଘର ତାଲା ପଡିଥିବା କିମ୍ୱା ଘରେ କୌଣସି ଲୋକ ନଥିବା ଘରକୁ ଟାର୍ଗେଟ କରି  ସେହି ଘରର କବାଟ ଭାଙ୍ଗି ଅତି କୌଶଳରେ ଚୋରି କରୁଥିଲେ  । ତେବେ କିଭଳି ଚୋରି କରିବେ କିଭଳି ଭାବେ ତାଲ ଓ ଲୁହା ଗ୍ରିଲ୍ କାଟି ହେବେ ସେଥିପାଇଁ ୟୁଟ୍ୟୁବରୁ  ଦେଖୁଥିଲେ ଓ ଏହାକୁ କାର୍ଯ୍ୟକାରୀ ମଧ୍ୟ କରୁଥିଲେ  ।

ଏଥିପାଇଁ ସେମାନେ ଦିନରେ ବିଭିନ୍ନ ସାହି ସାହି ବୁଲି ତାଲା ପଡ଼ିବା ଘର ଠାବ କରୁଥିଲେ ଓ ରାତିରେ ଚୋରି କରୁଥିଲେ  । ଏଭଳି ଏକ ଚୋର ଗ୍ୟାଙ୍ଗର ଦୁଇ ଜଣ ଗିରଫ ହୋଇଥିବା ବେଳେ ଚୋରୀ ସାମଗ୍ରୀ କିଣିବା ଅଭିଯୋଗରେ ତିନିଜଣଙ୍କୁ ଗିରଫ କରାଯାଇଛି  । ଏମାନଙ୍କଠାରୁ ଚୋରି ହୋଇଥିବା ୫୪୦ ଗ୍ରାମ ସୁନା ଅଳଙ୍କାର, ୧୦୦ ଗ୍ରାମ ରୂପା , ନଗଦ ୩୦ ହଜାର ଟଙ୍କା, ଦୁଇଟି  LCD ଟିଭି, DSLR କ୍ୟାମେରା, ଗୋଟିଏ ଲାପଟପ୍,ମୋବାଇଲ, ୧୪ ଶହ ବିଦେଶୀ ମୁଦ୍ରା (ୟୁରୋ), ହାତଘଣ୍ଟା, ସୁନା ତରଳାଇବା ସାମଗ୍ରୀ ଓ ଗ୍ୟାସ ବରନର ସହ ଗୋଟିଏ ଦାମୀ କାର ଓ ତିନୋଟି ମୋଟର ସାଇକେଲ ଜବତ କରିଛି ପୋଲିସ  । ଗିରଫ ହୋଇଥିବା ଦୁଇ କୁଖ୍ୟାତ ଚୋର ହେଲେ ପାଟପୁର ଥାନା ଅନ୍ତର୍ଗତ ରେଡ୍ଡୀକା ସାହିର ସନ୍ତୋଷ ସାହୁ ଓ ପାଟପୁର ଥାନା ଖଲିଙ୍ଗି ଗାଁର ଦିପକ ମହାପାତ୍ର   । ଏହା ସହ ଚୋରି ସାମଗ୍ରୀ କିଣିଥିବା ତିନି ଜଣ ହେଲେ ବ୍ରହ୍ମପୁର ହରଡ଼ାଖଣ୍ଡି ଅଞ୍ଚଳର ଏ. ମନୋଜ କୁମାର ସେନାପତି, ଶିବ ଶଙ୍କର ସାହୁ ଓ ରବିନ୍ଦ୍ର କୁମାର ସାହୁ  । ଏମାନଙ୍କୁ ଗିରଫ କରିବା ପରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ସହ ବ୍ରହ୍ମପୁର ସହରର ଲୋଚାପଡ଼ା, ଶକ୍ତି ନଗର, ଗୋବିନ୍ଦ ବିହାର, ମେଡିକାଲ କୋଲନୀ, ବସନ୍ତ ବିହାର ଓ ବୀମାନନଗର ଭଳି  ୧୫ ଟି ସ୍ଥାନରୁ ଚୋରି କରିଥିବା ପୋଲିସ ନିକଟରେ ସ୍ୱିକାର କରିଛନ୍ତି  । ଏହା ସହ ଚୋରି କରିଥିବା ସୁନା ଗୁଡିକୁ ମନପୁରମ ଗୋଲଡ ଲୋନ ବ୍ୟାଙ୍କରେ  ବନ୍ଧକ ରଖି ପ୍ରାୟ ୨୧ ଲକ୍ଷ ଋଣ ଆଣିଥିବା ପୋଲିସ ଜାଣିବାକୁ ପାଇଛି।

seized1

ଏହି ଚୋର ମାନେ ବିଭିନ୍ନ ସମୟରେ ରାଜ୍ୟ ବାହାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରି ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ  ।  ଚଳିତ ସେପଟେମ୍ୱର ମାସ ୨୪ ତାରିଖରେ ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ବେଡ଼ାବନ୍ଧ ସାହିର ସୁନିଲ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ୬ ଶହ ଗ୍ରାମ ସୁନା ଓ ଚାରି ଲକ୍ଷ ୪୨  ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ରିପୋର୍ଟ କରିଥିଲେ  ।  ଏଭଳି ରିପୋର୍ଟ ପାଇବା ପରେ ଗତ ଏକ ବର୍ଷ ଧରି ଏଭଳି କିଛି ଦିନ ବ୍ୟବଧାନରେ ଚୋରି ହୋଇଥିବା ନେଇ ଥାନାରେ ଲୋକେ ଅଭିଯୋଗ କରିଥିଲେ ।

କିଛି  ଦିନ ହେବ ପୋଲିସର ନିଦ ହଜାଇ ଦେଇଥିଲେ ଏହି ଗ୍ୟାଙ୍ଗ  । ଏମାନଙ୍କୁ ଧରିବା ଲାଗି ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଥିଲା  । ଏହି ଟିମରେ ବ୍ରହ୍ମପୁର ଏସଡିପିଓଙ୍କ ସମେତ ଗୋଷାଣିନୂଆଗାଁ, ବଡ଼ବଜାର, ଟାଉନ, ଦିଗପହଣ୍ଡି ଓ ସଦର ଥାନା ଅଧିକାରୀଙ୍କୁ ସାମିଲ କରାଯାଇଥିଲା  । ଶେଷରେ ଏହି ଗ୍ୟାଙ୍ଗରୁ ଧରିବାରେ ସଫଳ ହୋଇଥିଲା ପୋଲିସ  । ଗିରଫ ହୋଇଥିବା ୫ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ ଜାରୀ ରଖିଥିବା ବେଳେ ଅଭିଯୁକ୍ତଙ୍କୁ ରିମାଣ୍ଡ ଅଣାଯିବ ବୋଲି ବ୍ରହ୍ମପୁର ଏସପି ପିନାକ୍ ମିଶ୍ର ବ୍ରହ୍ମପୁର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.