ହୁସିୟାର ! ଡୁପ୍ଲିକେଟ୍ ଡକୁମେଣ୍ଟ କରି ଆପଣଙ୍କୁ କେହି ଠକୁ ନାହିଁ ତ ? ନଚେତ ନୂଆ ଟ୍ରାଫିକ୍ ନିୟମଠୁ ବଳିଯିବ ଆପଣଙ୍କ ଦୁର୍ଦ୍ଦଶା
ଭୁବନେଶ୍ୱର (କେ ନ୍ୟୁଜ୍) : ନୂଆ ଟ୍ରାଫିକ୍ ନିୟମ ଆଉ ନୂଆ ତାଗିଦାରେ ଏବେ ବିଶେଷ ଭାବେ ଘାଇଲା ହୋଇଛନ୍ତି ରାଜଧାନୀବାସୀ । ଗାଡ଼ି ଚଳାଇବା ବେଳେ ଯେଉଁ ସବୁ ନିୟମ କାନୁନ ମାନିବା କଥା କିମ୍ବା ଯେଉଁ ସବୁ କାଗଜପତ୍ର ସାଙ୍ଗରେ ରଖିବା କଥା ତାକୁ ନେଇ ଏବେ ହରଡ଼ଘଣାରେ ଗାଡ଼ି ଚାଳକ । କାରଣ ଫାଇନ୍ ଏତେ ପରିମାଣରେ ଲଗା ଯାଉଛି ଯେ ତାକୁ ପଇଠ କରିବାକୁ ଲୋକେ ନାକେଦମ୍ ହୋଇଯାଉଛନ୍ତି । ତେଣୁ ଆରଟିଓ ଅଫିସ୍ ଦେଖନ୍ତୁ ଅବା ପଲ୍ୟୁସନ୍ ଟେଷ୍ଟ ସେଣ୍ଟର ଏବେ ସବୁଠି ପ୍ରବଳ ଭିଡ଼ । କିଏ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ ପାଇଁ ତ ଆଉ କିଏ ନୂଆ ଲାଇସେନ୍ ପାଇଁ ଆରଟିଓ ଅଫିସ୍ରେ ଧାଡ଼ି ଲଗାଇଛନ୍ତି । ସେହିପରି ଅନ୍ୟ ଦିନେ ଯେଉଁ ପଲ୍ୟୁସନ୍ ଟେଷ୍ଟ କରୁଥିବା ଗାଡ଼ି ପାଖରେ ମାଛି ଉଡୁଥିଲେ ଏବେ ସେଠି ବି ଗାଡ଼ିବାଲାଙ୍କର ଲମ୍ବା ଲାଇନ୍ ଲାଗୁଛି । ସେପଟେ ପୁଣି ହେଲମେଟ୍ ବିକ୍ରି ବି ବଢ଼ି ଯାଇଛି ।
ତେବେ ଏସବୁ ଭିତରେ ଆମ ସାଧାରଣ ଲୋକଙ୍କୁ ଠକିବା ପାଇଁ ବେଶ୍ କିଛି ମତଲବୀ ମଧ୍ୟ ଜନ୍ମ ନେଇଛନ୍ତି । କିଏ ଲାଇସେନ୍ସ କରାଇଦେବା ଆଳରେ ଲୋକଙ୍କୁ ଲୁଟୁଛି ତ ଆଉ କିଏ ଫାଇନ୍ ବାବଦରେ ଗଳାବାଟରେ ଖସାଇବାକୁ ଚେଷ୍ଟା କରୁଛି । ଆଜି ଆମ କେ ନ୍ୟୁଜ୍ ଟିମ୍ ଯେତେବେଳେ ବାଣୀବିହାର ଫ୍ଲାଏଓଭର ଏବଂ ଆଚାର୍ଯ୍ୟ ବିହାର ନିକଟରେ ଥିବା ଆରଟିଓ ଅଫିସ୍ ପାଖରେ ପହଞ୍ଚିଥିଲା, ଦେଖିଥିଲା ଆଶାୟୀଙ୍କ ଅସମ୍ଭବ ଭିଡ଼ । ହେଲେ ପଲ୍ୟୁସନ୍ ଟେଷ୍ଟ କରୁଥିବା ଗାଡ଼ିଗୁଡ଼ିକ କାହିଁକି କେଜାଣି ଆମ ରିପୋର୍ଟର୍ଙ୍କୁ ଓ ବୁମ୍କୁ ଦେଖି ଛାନିଆ ହୋଇ ତୁରନ୍ତ ଜାଗା ଛାଡ଼ିଦେଲେ ? ଆମେ ସେମାନଙ୍କୁ କିଛି ପଚାରିବା ପୂର୍ବରୁ ସେମାନେ ଆମକୁ ଏଡ଼ାଇ ପଳାଇଗଲେ ।
ତେବେ ଲୋକଙ୍କୁ ଆମର କହିବା କଥା ଏଇଆ ଯେ, ଏ ସମୟରେ ଅନେକ ଠକ ଡୁପ୍ଲିକେଟ୍ କାମ କରି ଆପଣଙ୍କୁ ଚୂନ ଲଗାଇ ପାରନ୍ତି । ତେଣୁ ସାବଧାନ ଥାନ୍ତୁ । ପଲ୍ୟୁସନ୍ ଟେଷ୍ଟ କଲେ ଉଚିତ ସାର୍ଟିଫିକେଟ୍ ବା ବାର୍କୋଡ୍ ଥିବା ସାର୍ଟିଫିକେଟ୍ ମାଗନ୍ତୁ । ପଲ୍ୟୁସନ୍ ଟେଷ୍ଟ କରୁଥିବା ସଂସ୍ଥା ପାଖରେ ସଠିକ୍ ଅନୁମତିପତ୍ର ଅଛି ତ ? ଏସବୁ ଭଲ ଭାବେ ଯାଞ୍ଚ କରନ୍ତୁ ।
ସେହିଭଳି ଲାଇସେନ୍ କରିବା ବେଳେ ମଧ୍ୟ ସତର୍କ ରୁହନ୍ତୁ । ନଚେତ ଗାଡ଼ି ଚଳାଇବା ବେଳେ କିଛି ନକଲି କାଗଜପତ୍ର ଯଦି ଟ୍ରାଫିକ୍ ଅଧିକାରୀଙ୍କ ହାତରେ ପଡ଼େ ତେବେ ଅବସ୍ଥା ଅସମ୍ଭାଳ ହେବ । ତେଣୁ ସାବଧାନ୍ । ତରବରିଆ ଭାବେ ଖାଲି ଟ୍ରାଫିକ ନିୟମକୁ ଫାଙ୍କିବା ଆଳରେ ଏଭଳି କିଛି କରନ୍ତୁ ନାହିଁ, ଯେଉଁଥି ପାଇଁ ଆପଣଙ୍କୁ ପଛରେ ପସ୍ତେଇବାକୁ ପଡ଼ିବ ।
କଣ କରିବେ ?
ଦୁଇ ଚକିଆ ଯାନ ପାଇଁ ଅତି କମ୍ରେ ଏହିସବୁ ଡକୁମେଣ୍ଟ ସାଥୀରେ ରଖିବା ଜରୁରୀ । ସେଗୁଡ଼ିକ ହେଲା ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍, ପଲ୍ୟୁସନ୍ ସାର୍ଟିଫିକେଟ୍, ଇନସ୍ୟୁରାନ୍ସ ସାର୍ଟିଫିକେଟ୍ ଆଦି । କଣ କରିବା ଓ କଣ ନକରିବା ଉଚିତ ସେକଥା ତ ଆପଣ ଜାଣି ଯାଇଥିବେ । ତେଣୁ ନିଜ ଗାଡ଼ି ଠାରୁ ଅଧିକ ଫାଇନ୍ ଯଦି ଚାହୁଁ ନାହାନ୍ତି ତେବେ ସତର୍କ ରୁହନ୍ତୁ ।
ନୂଆ ଲାଇସେନ୍ସ ପାଇଁ କେତେ ଦେବେ ?
ସେହିଭଳି ନୂଆ ଡ୍ରାଇଭିଂ ଲାଇସେନ୍ସ କରିବାକୁ ଆରଟିଓ ଅଫିସ୍ ଦୌଡୁଥିବା ଲୋକେ ଜାଣି ନିଅନ୍ତୁ ଯେ ବାଇକ୍ ପାଇଁ ୯୯୫ ଟଙ୍କା, କାର୍, ବସ୍ ଓ ଟ୍ରକ୍ ପାଇଁ ୧୨୪୫ ଟଙ୍କା ପଇଠ କରିବାକୁ ପଡ଼ିବ । ସେହିଭଳି ଉଭୟ ବାଇକ୍ ଓ କାର୍ ଡ୍ରାଇଭିଂ ଲାଇସେନ୍ସ ବାବଦରେ ଆପଣଙ୍କୁ ୧୪୪୫ ଟଙ୍କା ଦେବାକୁ ହେବ ।
ତେବେ ଆମ ପାଖରେ ଯାହା ସୂଚନା ରହିଛି ଏହି ମଉକାରେ ଦଲାଲମାନେ ପୂରା ସକ୍ରିୟ ହୋଇପଡ଼ିଛନ୍ତି । ଲାଇସେନ୍ସ ବାବଦରେ ଲୋକଙ୍କ ଠାରୁ ୩ ହଜାରରୁ ୪ ହଜାର ପର୍ଯ୍ୟନ୍ତ ଟଙ୍କା ଝଡ଼ାଉଛନ୍ତି । ଆଉ ବିକଳରେ ଥିବା ଲୋକେ ଟ୍ରାଫିକ୍ ନିୟମ ଡରରେ ସେମାନଙ୍କ ଦାବି ଅନୁଯାୟୀ ଟଙ୍କା ଦେଉଛନ୍ତି । ତେଣୁ ସେଇଥିପାଇଁ କହିଲୁ, ବେପାର ଭଲ ଜମୁଛି ।