BSNLର ଏମିତି ଅବସ୍ଥା, ଖର୍ଚ୍ଚକାଟ୍‌ ପାଇଁ ୭୦ ହଜାର କର୍ମଚାରୀ ଅବସର ନେବାକୁ ବାଧ୍ୟ

ନୂଆଦିଲ୍ଲୀ: କ୍ଷତିରେ ଚାଲିଥିବା ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗୋଟେ ପଟେ ଜମି ବନ୍ଧା ଦେଇ ଟଙ୍କା ଯୋଗାଡ଼ କରୁଥିବା ବେଳେ ଏବେ ଖର୍ଚ୍ଚ କମାଇବାକୁ ନୂଆ ପନ୍ଥା ଆପଣାଇବାକୁ ଯୋଜନା କରୁଛି। ଖର୍ଚ୍ଚ କାଟ୍‌ ପାଇଁ ଅଧା କର୍ମଚାରୀଙ୍କୁ ଭଲ୍ୟୁଣ୍ଟାରୀ ରିଟାୟାର୍ଡମେଣ୍ଟ ଦେବାକୁ କମ୍ପାନୀ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ସରକାରୀ ମଞ୍ଜୁରୀ ମିଳିବା ପରେ କର୍ମଚାରୀଙ୍କୁ କିଛି ଆକର୍ଷଣୀୟ ପ୍ୟାକେଜ୍‌ ଦେଇ ଅବସର ଦିଆଯିବ। BSNLର ଚେୟାରମ୍ୟାନ୍‌ ପ୍ରବୀଣ କୁମାର ପୁରବାର ଏହି ସୂଚନା ଦେଇଛନ୍ତି।

BSNLର ଅଧାକର୍ମଚାରୀଙ୍କୁ ଅବସର ଦିଆଯିବା ପରେ ଆଉଟସୋର୍ସିଂ ଜରିଆରେ ମାସିକିଆ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ପୁରବାର କହିଛନ୍ତି। ତେବେ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଅବସର ଦେବା ପରେ ମଧ୍ୟ ଆହୁରି ୧ ଲକ୍ଷ କର୍ମଚାରୀ ରହିବେ ବୋଲି ସେ ସୂଚନା ଦେଇଛନ୍ତି।

ଏହାସହ ପଢ଼ନ୍ତୁ: ଜାଣନ୍ତି କି କ’ଣ ଆପଣଙ୍କ ପ୍ରିୟ ବଲିଉଡ୍‌ ଷ୍ଟାରର୍ସଙ୍କ ଫେଭରାଇଟ୍‌ ଫୁଡ୍‌?

ଏ ଅବସରରେ BSNLର ଚେୟାରମ୍ୟାନ୍‌ କହିଛନ୍ତି ଯେ ରେଭେନ୍ୟୁକୁ କମ୍ପାନୀ ପ୍ରାଥମିକତା ଦେଉଥିବା ବେଳେ ଅପରେସନାଲ ଖର୍ଚ୍ଚକୁ ଦ୍ୱିତୀୟ ପ୍ରାଥମିକତା ଦିଆଯାଉଛି। ବର୍ତ୍ତମାନ କମ୍ପାନୀର କେବଳ ବିଜୁଳି ବିଲ୍‌ ୨୭୦୦ କୋଟି ଆସୁଛି, ଏହାକୁ ଆମେ ୧୫ ପ୍ରତିଶତ କମାଇବାକୁ ଲକ୍ଷ୍ୟ ରଖିଛୁ। ସେହିପରି କମ୍ପାନୀ ନିଜ ଟାଓ୍ଵାରକୁ ଅଧିକ ଭଡ଼ାରେ ଦେଇ ଅର୍ଥ ରୋଜଗାର କରିବାକୁ ଯୋଜନା କରୁଥିବା ଶ୍ରୀ ପୁରବାର କହିଛନ୍ତି।