ଗଛରୁ ପ୍ରକଟ ହୋଇଥିଲେ ବାଳକ ରୂପୀ ଏହି ହନୁମାନ, ଧୀରେ ଧୀରେ ବଢ଼ୁଛି ମୂର୍ତ୍ତିର ଆକାର
ହନୁମାନଙ୍କୁ କଳିଯୁଗର ଦେବତା ବୋଲି କୁହାଯାଏ। ବିଶ୍ୱାସ ରହିଛି, କଳିଯୁଗରେ ସମସ୍ତ ପାପକୁ ନାଶ କରିବା ପାଇଁ ଏବଂ ଜୀବନର କଠିନ ପରିସ୍ଥିତିକୁ ଦୂର କରିବା ପାଇଁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା କଲ୍ୟାଣକାରୀ ହୋଇଥାଏ। ଦେଶରେ ଅନେକ ହନୁମାନ ମନ୍ଦିର ରହିଛି, ଯାହା ଭକ୍ତଙ୍କ ଆଶା ଓ ବିଶ୍ୱାସର ପ୍ରତୀକ। ଆଜି ଆମେ ଆପଣଙ୍କୁ ହନୁମାନଙ୍କର ଯେଉଁ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ତାହା ବହୁତ ଖାସ୍ ମନ୍ଦିର ଅଟେ। ଏହା ମିର୍ଜାପୁରର ବିନ୍ଧ୍ୟାଞ୍ଚଳ ପର୍ବତ ପାଖରେ ଅବସ୍ଥିତ, ଯାହାର ନାଁ ‘ବନ୍ଧଓ୍ଵା ହନୁମାନ ମନ୍ଦିର’।
ଏହି ମନ୍ଦିର ବିଷୟରେ କୁହାଯାଏ କି, ଏଠାରେ ହନୁମାନ ଏକ ବୃକ୍ଷରେ ପ୍ରକଟ ହୋଇଥିଲେ। ମନ୍ଦିରରେ ପୂଜା ପାଉଥିବା ମୂର୍ତ୍ତି ବହୁତ ପ୍ରାଚୀନ ଅଟେ। ତେବେ ଏ ନେଇ କୌଣସି ବିଶେଷ ତଥ୍ୟ ଉଲ୍ଲେଖ ନାହିଁ। ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନନ୍ତି କି, ହନୁମାନ ଏଠାରେ ବାଳକ ରୂପରେ ପ୍ରକଟ ହୋଇଥିଲେ। ପରମ୍ପରା ରହିଛି, ବିନ୍ଧ୍ୟାଞ୍ଚଳ ପର୍ବତର ତ୍ରିକୋଣ ଯାତ୍ରା ସମୟରେ ବନ୍ଧଓ୍ଵା ହନୁମାନଙ୍କ ଦର୍ଶନ କରାଯାଇଥାଏ ଏବଂ ତାଙ୍କ ଦର୍ଶନରେ ଏହି ଧାମର ଯାତ୍ରା ପୂରା ହୋଇଥାଏ।
ଏହାସହ ପଢନ୍ତୁ: ମା’ ଦୁର୍ଗାଙ୍କର ଏହି ମନ୍ଦିର, ଯେଉଁଠି ଏକାଠି ଦର୍ଶନ କରନ୍ତିନି ସ୍ୱାମୀସ୍ତ୍ରୀ, ପୂଜା ପୂର୍ବରୁ ହୋଇଯାଆନ୍ତି ଅଲଗା
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏଠାରେ ହନୁମାନଙ୍କ ମୂର୍ତ୍ତିର ଆକାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ତାଙ୍କର ଏତେ ମହିମା ରହିଛି କି, ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ କେବେ ବି ଶନି ଦେବଙ୍କ ପ୍ରକୋପର ସାମ୍ନା କରିନାହାନ୍ତି। ଯଦି କେହି ଶନି ଦଶା ଭୋଗିଥାଏ, ତା’ହେଲେ ସେମାନେ ଏଠାକୁ ଆସି ନିଜ ସମସ୍ୟା ଦୂର କରନ୍ତି। ଏଠାରେ ହନୁମାନଙ୍କୁ ଲଡ଼ୁ, ତୁଳସୀ ପତ୍ର ଏବଂ ଫୁଲ ଚଢ଼ାଯାଇଥାଏ, ଯେଉଁଥିପାଇଁ ଭଗବାନଙ୍କର କୃପା ମିଳିଥାଏ। ହନୁମାନ ବାଳକ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି।