କଣ ସତରେ ଇଲେକଟ୍ରି ବିଲ୍‌ ପାଇଁ ମିଟର ରିଡରଙ୍କୁ ମାରି ଦେଲେ ?

ତେବେ ଗୋବିନ୍ଦ ଏପରି ଉତ୍ତ୍ୟକ୍ତ ହେଲେ କାହିଁକି ? କଣ ପାଇଁ ଏତେ ରାଗିଲେ ଯେ ଲକ୍ଷ୍ମୀନାରାୟଣଙ୍କୁ ହତ୍ୟା କରିବାକୁ ପଛାଇଲେ ନାହିଁ ।

ଭଞ୍ଜନଗର (କେନ୍ୟୁଜ୍‌) : ଗାଁ ଦାଣ୍ଡରେ ଜଣେ ମିଟର ରିଡିଂ କର୍ମଚାରୀଙ୍କୁ ମାରି ଶୁଆଇ ଦେଲେ ଜଣେ ବୃଦ୍ଧ । ଗାଁରେ ଚହଳ ପଡ଼ିଗଲା । ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ବୃଦ୍ଧଙ୍କୁ ଖୁବ୍‌ ପିଟିଲେ । ଖବର ପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଉଦ୍ଧାର କଲେ । ହେଲେ ସେତେବେଳେକୁ ଗ୍ରାମବାସୀଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି ଚିକିତ୍ସା ପାଇଁ । …. ଏପଟେ ମିଟର ରିଡିଂ କର୍ମଚାରୀ ସଂଘ ପକ୍ଷରୁ ଭଂଜନଗର ବିଦ୍ୟୁତ୍ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଗଲା । କ୍ଷତିପୂରଣ ସହ ପରିବାରର ଜଣକୁ ଚାକିରି ଦାବି କଲେ ସଂଘ କର୍ମକର୍ତ୍ତା । ଦାବି ପୂରଣ ପରେ ଆନ୍ଦୋଳନରୁ ଓହରିଲା ମିଟର ରିଡିଂ କର୍ମଚାରୀ ସଂଘ । ଆଲୋଚନା ଅନୁସାରେ ବୀମା ବାବଦରେ ୧୫ ଲକ୍ଷ ଟଙ୍କା, ୧ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଶବ ସତ୍କାର ନିମନ୍ତେ ୨୫ ହଜାର ଟଙ୍କା ସହାୟତା ଦେବା ପାଇଁ ବିଦ୍ୟୁତ୍‌ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା କୁହାଯାଇଛି । ଏହା ସହ ପରିବାରର ଜଣକୁ ଚାକିରି ଓ ପେନସନ୍ ବ୍ୟବସ୍ଥା କରିବାକୁ ଆଲୋଚନା ହୋଇଥିବା ଜଣାପଡ଼ିଛି ।

ଏବେ ପୂରା ଘଟଣା କଣ ଜାଣନ୍ତୁ । ସୋମବାର ସକାଳେ ଗଂଜାମ ଜିଲ୍ଲା ଗାଲେରୀ ଫାଣ୍ଡି ଅନ୍ତର୍ଗତ କୁପାଟୀ ଗାଁରେ ମିଟର ରିଡିଂ କରିବାକୁ ଯାଇଥିଲେ ଲକ୍ଷ୍ମୀନାରାୟଣ । ସେହି ଗାଁର ଗୋବିନ୍ଦ ସେଠୀଙ୍କ ଘରେ ମିଟର ରିଡିଂ ନେଉଥିବା ବେଳେ ଗୋବିନ୍ଦ ଏକ ଧାରୁଆ ଅସ୍ତ୍ରରେ ଲକ୍ଷ୍ମୀନାରାୟଣଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ତାପରେ ଗାଁ ଲୋକେ ଗୋବିନ୍ଦଙ୍କୁ ଆକ୍ରମଣ କରିଥିଲେ । ….ତେବେ ଗୋବିନ୍ଦ ଏପରି ଉତ୍ତ୍ୟକ୍ତ ହେଲେ କାହିଁକି ? କଣ ପାଇଁ ଏତେ ରାଗିଲେ ଯେ ଲକ୍ଷ୍ମୀନାରାୟଣଙ୍କୁ ହତ୍ୟା କରିବାକୁ ପଛାଇଲେ ନାହିଁ । ପ୍ରଥମେ ଚର୍ଚ୍ଚା ହେଉଥିଲା କି ବିଦ୍ୟୁତ୍‌ ବିଲ୍‌୍‌କୁ ନେଇ ଏଭଳି କାଣ୍ଡ ଘଟାଇଛନ୍ତି ଗୋବିନ୍ଦ । ତେବେ ଆମେ ଯାହା ଅନୁସନ୍ଧାନ କଲୁ ସେହି ଅନୁଯାୟୀ, ଘଟଣା ସମୟରେ କେତେ ବିଦ୍ୟୁତ୍ ବିଲ୍ ଆସିଛି ତାହା ବିଭାଗୀୟ ଓ୍ବେବ ସାଇଟ୍‌୍‌ରେ ଉପଲବ୍ଧ ନାହିଁ । ଅର୍ଥାତ୍ ଘଟଣା ସମୟରେ କେତେ ବିଲ୍ ଆସିଛି ତାହା ସ୍ପଷ୍ଟ ହୋଇନାହିଁ । ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ପ୍ରକାରେ ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସେଠୀଙ୍କ ଘରର ବିଦ୍ୟୁତ ବିଲ୍ ବାବଦରେ ଚଳିତ ବର୍ଷ ଜାନୁଆରୀ ମାସରେ ୨୭ ଟଙ୍କା, ଫେବୃଆରୀ ମାସରେ ୨୫ ଟଙ୍କା, ମାର୍ଚ୍ଚ ମାସରେ ୨୬ ଟଙ୍କା, ମେ ମାସରେ ୨୦୭ ଟଙ୍କା, ଜୁନ୍ ମାସରେ ୯୯ ଟଙ୍କା ଏବଂ ଜୁଲାଇ ମାସରେ ୧୪୬ ଟଙ୍କା ବିଲ୍ ଆସିଥିଲା । ସମସ୍ତ ବିଲ୍ ମଧ୍ୟ ପଇଠ କରାଯାଇଛି। କିନ୍ତୁ ଚଳିତ ମାସର ବିଦ୍ୟୁତ ବିଲ୍ ଏଯାଏଁ ସ୍ପଷ୍ଟ ହୋଇ ପାରିନାହିଁ । ତେଣୁ ବିଦ୍ୟୁତ୍‌ ବିଲ୍‌୍‌କୁ ନେଇ ପ୍ରକୃତରେ କିଛି ଘଟିଛି କି ନାହିଁ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ଅନ୍ୟପକ୍ଷରେ ଗ୍ରାମବାସୀଙ୍କ କହିବା କଥା, ପୂର୍ବଦିନ ଗୋବିନ୍ଦଙ୍କର ତାଙ୍କ ଭାଇ ସହିତ ଭୀଷଣ ଝଗଡ଼ା ହୋଇଥିଲା । ସେ କୁଆଡ଼େ ଖୁବ୍‌ ଉତ୍ତ୍ୟକ୍ତ ଥିଲେ । ତେବେ ଲକ୍ଷ୍ମୀନାରାୟଣଙ୍କୁ ହତ୍ୟା ପଛରେ ପ୍ରକୃତ କାରଣ କଣ ତାହା କେବଳ ଗୋବିନ୍ଦ ହିଁ ସ୍ପଷ୍ଟ କରି ପାରିବେ । ହେଲେ କାରଣ ଯାହା ଥାଉ ନା କାହିଁକି ଗୋଟିଏ ପରିବାରକୁ ଉଚ୍ଛନ୍ନ କରି ଦେଇଗଲା ଗୋବିନ୍ଦଙ୍କର ରାଗ । ଅକାଳରେ ଅଯଥାରେ ଚାଲିଗଲା ମିଟର ରିଡର ଲକ୍ଷ୍ମୀନାରାୟଣଙ୍କ ଜୀବନ । ଜଣେ ଭଲ ମଣିଷ ଭାବେ ତାଙ୍କୁ ସମସ୍ତେ ଜାଣନ୍ତି । ହେଲେ କର୍ତ୍ତବ୍ୟରତ ଥିବା ବେଳେ ମୃତ୍ୟୁର ଶିକାର ହେଲେ ଲକ୍ଷ୍ମୀ ନାରାୟଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.