ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ୧୪ ତାରିଖ ପର୍ଯ୍ଯନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର (କେନ୍ୟୁଜ): ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ଗଣନା ପାଇଁ ଆଜିଠାରୁ ୧୪ ତାରିଖ ପର୍ଯ୍ଯନ୍ତ ପର୍ଯ୍ଯଟକ ମାନଙ୍କ ପାଇଁ ବନ୍ଦ ରହିବ । ବିରଳ ବଉଳା କୁମ୍ଭୀର ମାନଙ୍କ ଅନ୍ତୁଡିଶାଳ ଭିତରକନିକା ରେ ପ୍ରତିବର୍ଷ ପରି ଚଳିତବର୍ଷ କୁମ୍ଭୀର ଗଣନା କରାଯିବ । ରାଜନଗର ବନଖଣ୍ଡ ର ରାଜନଗର,ଗହୀରମଥା, କନିକା ଓ ମହାକାଳପଡ଼ା ଏହି ୪ଟି ରେଞ୍ଜରେ ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳ ଗୁଡିକରେ କୁମ୍ଭୀର ମାନଙ୍କର ଗଣନା କରାଯିବ । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ଯଟକ ଙ୍କ ପାଇଁ ବନ୍ଦ ରହିବ ।

ଜାନୁଆରୀ ୪ ତାରିଖରୁ ୧୪ ତାରିଖ ପର୍ଯ୍ଯନ୍ତ ୧୧ ଦିନ ଧରି ଭିତରକନିକା ବନ୍ଦ ରହିବ । ଜାନୁଆରୀ ୨୦୨୨ ବା ଗତବର୍ଷ ଗଣନା ଅନୁସାରେ ଭିତରକନିକା ରେ ୧୭୮୪ଟି ବଉଳା କୁମ୍ଭୀର ଅଛନ୍ତି । କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ । ଦିନ ଓ ରାତ୍ରି ସମୟରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.