ଲଘୁଚାପ ବର୍ଷାରେ ଅସ୍ତବ୍ୟସ୍ତ ରାଜ୍ୟବାସୀ : ରାଜଧାନୀ ଜଳାର୍ଣ୍ଣବ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା । ଗତକାଲିଠାରୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ସୂଚନା ଦେଇଛି, ଆସନ୍ତା ୩୬ ଘଣ୍ଟା ଭିତରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ୨୪ ଘଣ୍ଟା ଭିତରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ । ୧୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୭ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଗତ ୨୪ ଘଣ୍ଟା ଭିତରେ ଉତ୍ତର ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି।

ସେପଟେ ଗତକାଲିର ପ୍ରବଳ ବର୍ଷାରେ ବେହାଲ ରାଜଧାନୀ । ବିଭିନ୍ନ ଅଞ୍ଚଳରେ ଆଣ୍ଠୁଏ ଆଣ୍ଠୁଏ ପାଣି । ତଳି ଅଞ୍ଚଳର ଅବସ୍ଥା କହିଲେ ନସରେ । ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପାଣି ପଶିଯାଇଛି । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଲୋକେ ଘର ଆସବାବପତ୍ର ସୁରକ୍ଷିତ ରଖିବାକୁ ଉଦ୍ୟମ କରିଥିଲେ । ଭୁବନେଶ୍ୱରର ଜୟଦେବ ବିହାର, ଆଚାର୍ୟ୍ୟ ବିହାର, ନୟାପଲ୍ଲୀ, ରସୁଲଗଡ଼, ଖାରବେଳନଗର ଆଦି ଅଞ୍ଚଳରେ ରାସ୍ତା ଉପରେ ପାଣି ଲହଡ଼ି ମାରୁଥିଲା । ଫଳରେ ଲୋକେ ଯାଆସ କରିବାରେ ନାନା ଅସୁବିଧା ଭୋଗୁଥିଲେ ।

ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିଛି । ମଥାନିଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ପାଣି। ସେହିପରି ଫୁଲୁଛି ସୁବର୍ଣ୍ଣରେଖା ନଦୀ । ଜଳେଶ୍ୱରରେ ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ପ୍ରବାହିତ ହେଉଛି । ଏହାକୁ ନେଇ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଜାମଶୋଲାଘାଟରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୪୯.୧୫ ମିଟର ଥିବାବେଳେ ଜଳସ୍ତର ୪୯.୨୪ ମିଟର ଉପରେ ପ୍ରବାହିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.