କିଟ୍‌ ପରିସରରେ ଉଦଘାଟିତ ହେଲା କିଟର ସର୍ବବୃହତ ବୈଷୟିକ-ସାଂସ୍କୃତିକ ମହାକୁମ୍ଭ କିଟ ଫେଷ୍ଟର ଷଷ୍ଠ ସଂସ୍କରଣ

କେନ୍ୟୁଜ୍(ବ୍ୟୁରୋ): କିଟ ବିଶ୍ୱବିଦ୍ୟାଳୟର ସର୍ବବୃହତ ବୈଷୟିକ-ସାଂସ୍କୃତିକ ମହାକୁମ୍ଭ କିଟ ଫେଷ୍ଟର ଷଷ୍ଠ ସଂସ୍କରଣ କିଟ୍‌ ପରିସରରେ ଉଦଘାଟିତ ହୋଇଛି । ପୂର୍ବ ଭାରତର ବିଶ୍ୱବିଦ୍ୟାଳୟ ସ୍ତରରେ ସର୍ବବୃହତ ବୈଷୟିକ ଓ ସାଂସ୍କୃତିକ ମହୋତ୍ସବ ହେଉଛି ‘କିଟ ଫେଷ୍ଟ’  । କିଟ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଂଜନ ମହାନ୍ତି, ଛାତ୍ର ବ୍ୟାପାର ନିର୍ଦ୍ଦେଶକ ପ୍ରଫେସର ବିଶ୍ୱଜିତ ସାହୁ ଓ ଛାତ୍ର ସେବା ଉପନିର୍ଦ୍ଦେଶକ ଡ. ଶ୍ୟାମସୁନ୍ଦର ବେହୁରାଙ୍କ ଉପସ୍ଥିତିରେ କିଟ୍‌ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହି ମହାକୁମ୍ଭକୁ ଉଦଘାଟନ କରିଥିଲେ ।

 

ଚଳିତବର୍ଷ ଏହି ଫେଷ୍ଟରେ ଭାରତର ବିଭିନ୍ନ ଖ୍ୟାତିସଂପନ୍ନ ବୈଷିୟକ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟରୁ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ ୨୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି ।

ଏହି ଅବସରରେ କିଟ ଫେଷ୍ଟର ମୁଖପାତ୍ର ‘କ୍ରିତିକା’, ସିଭିଲ ଇଂଜିନିୟରିଂ ବିଭାଗର ସ୍ମରଣିକା ‘ନିର୍ମିନାଇଟ’, କଂପ୍ୟୁଟର ସାଇନସ ବିଭାଗର ସ୍ମରଣିକା ‘କିବିବାଇଟ’, ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ ବିଭାଗର ସ୍ମରଣିକା ‘କ୍ୟୁରୋସିଟି’, ମେକାନିକାଲ ଇଂଜିନିୟିରିଂ ବିଭାଗର ସ୍ମରଣିକା ‘ଯନ୍ତ୍ର ଏନଏକସଟି’କୁ ଅତିଥିମାନେ ଉନ୍ମୋଚନ କରିିଥିଲେ । ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ମହାକୁମ୍ଭରେ ସାଂସ୍କୃତିକ ବିଭାଗରେ ୨୦ରୁ ଅଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ବୈଷୟିକରେ ୧୫ରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମ ଓ ୫ରୁ ଊର୍ଦ୍ଧ୍ୱ ବୈଷୟିକ କର୍ମଶାଳା ଅନୁଷ୍ଠିତ ହେବ ।ଏଥିରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ବୈଷୟିକ କଳା ଓ ସାଂସ୍କୃତିକ ଓ ସୃଜନାତ୍ମକ ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କ ଉତ୍କର୍ଷତା ପ୍ରତିପାଦନର ସୁଯୋଗ ପାଇବେ । ଏହାଛଡା ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶର ଏହା ହେଉଛି ଏକ ବଡ଼ ପ୍ଲାଟଫର୍ମ ।

ଏଥିପାଇଁ କିଟର ବିଭିନ୍ନ କ୍ୟାମ୍ପସ ଉତ୍ସବମୁଖର ହୋଇଉଠିିଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ବିଭିନ୍ନ କ୍ୟାମ୍ପସରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଜାରି ରହିଛି । ୧୬ ତାରିଖରେ ବ୍ୟାଣ୍ଡ ପରଫରମାନସ ଅନୁଷ୍ଠିତ ହୋଇଥିବା ବେଳେ ୧୭ ତାରିଖରେ ମୁଖ୍ୟ ଆକର୍ଷଣ ଅଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅମିତ ତ୍ରିବେଦୀ । ଏହି ମହୋତ୍ସବରେ ସାଂସ୍କୃତିକ ବିଭାଗରେ ଫିଫା ୨୦, ଇନଷ୍ଟାଣ୍ଟ ଓ ଫାଏ, ଚିତ୍ରବିଚିତ୍ର, ହିପ ହପ ସାଇଫର, ସ୍ପଷ୍ଟ ଲାଇଟ, ଦେଖ ତାମସା ଦେଖ, ଷ୍ଟାର ସେଲସ ମ୍ୟାନ, ଜରା ନାଚକେ ଦେଖା, ଅନଭେଲ ଦି ସ୍ଲାମ ପଏଟ୍ରି ଇଭେଣ୍ଟ, ବଜ ରାଇଟ ଇଅର, ଫ୍ରୋଜନ ଇନ ଟାଇମ, ମେନାନେଜ, ଫୁଏଗୋ, ମିସମ୍ୟାଚ, ଅଳଙ୍କାର ଆଦି ରହିଥିବା ବେଳେ ବୈଷୟିକ ବିଭାଗରେ ଇନୋଭେସନ, ପର୍‌ପ୍ଲେକସ, ରୋବୋଟିକସ କୋଡିଂ ଏବଂ ବିଜିନେସ ମାର୍କେଟିଂରେ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ସେହିପରି କୁଇଜରେ ଫ୍ଲେମସ କୁଇଜ, ବିଜଟେକ୍‌ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କ ପାଇଁ ସର୍ବାଧିକ ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରଖାଯାଇଛି । ଏହା କୌଣସିି ବିଶ୍ୱବିଦ୍ୟାଳୟ ସ୍ତରରେ ଆୟୋଜିତ ଟେକ୍ନୋଫେଷ୍ଟର ସର୍ବାଧିକ ପୁରସ୍କାର ରାଶି ବୋଲି କୁହାଯାଉଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ, ସୃଜନଶୀଳତାର ପରିପ୍ରକାଶ ପାଇଁଁ ଏହା ଏକ ଶ୍ରେଷ୍ଠ ପ୍ଲାଟଫର୍ମ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.