ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ହିଂସାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ, ଚାଲିଛି ଟ୍ବିଟ୍ ଓ୍ୱାର୍

ଭୁବନେଶ୍ବର(କେନ୍ଯୁଜ୍): ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ହିଂସାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିର୍ବାଚନୀ ହିଂସା ଚିନ୍ତାଜନକ ଓ ଦୁଃଖ ଦାୟକ । ଶାସକ ଦଳ ହିଂସା ଓ ଅରାଜକତା କରୁଥିବା କହି ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ନିର୍ବାଚନ କମିଶନ ହିଂସାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ କରନ୍ତୁ । ରାଜ୍ୟ ପ୍ରଶାସନ ନିର୍ବାଚନ ସମୟରେ ଠିକ ଭାବରେ ନିଜର କାର୍ଯ୍ୟ କରି ଲୋକଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ।

ସେପଟେ ଧର୍ମେନ୍ଦ୍ରଙ୍କ ଟୁଇଟର ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ହାରିବା ଭୟରେ ବିଜେପି ନିର୍ବାଚନୀ ହିଂସା କରୁଥିବା ପ୍ରଣବ ଅଭିଯୋଗ କରିଛନ୍ତି । କହିଛନ୍ତି ବିଜେଡି ସବୁବେଳେ ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଦ୍ୱାରା ହିଁ ଗଣତନ୍ତ୍ରକୁ ସଦୃଢ କରାଯାଇପାରିବ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି । ବିଜେପି ନେତା ଓ କର୍ମୀ ଗଜପତି ଓ ପିପିଲିରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଛନ୍ତି ।

କୋରାପୁଟ ସାଲେପୁର, ବ୍ରହ୍ମଗିରି, କଣାସ, ଢେଙ୍କାନାଳ, ଏବଂ ଆହୁରୀ ଅନେକ ଜିଲ୍ଲାରେ ବିଜେପି ନିର୍ବାଚନୀ ହିଂସା କରିଥିବା ବିଜେଡି କହିଛି । ଏହା ପୂର୍ବରୁ ବିଜେପି ସାଂସଦ ଜୁଏଲ ଓରାମ ଜଣେ ମହିଳାଙ୍କ ସହ ଅସଦାଚରଣ କରିବା ଏବଂ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ହାତ ଭାଙ୍ଗି ଦେବା ଭଳି ଘଟଣା ବିଜେପିର ହିଂସା ପ୍ରବଣତାକୁ ଦର୍ଶାଉଛି ବୋଲି ପ୍ରଣବ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.