Below header

ଝାରସୁଗୁଡ଼ାର ୪ ବ୍ଲକ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି, ପଦ୍ମପୁର ଫଳାଫଳରେ ବିପୁଳ ବିଜୟ ଆଣିଦେଇଥିବା ଭେଟେରାନଙ୍କ ଉପରେ ପୁଣି ଭରସା

୪ଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟିରେ ଉପନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ। ପଦ୍ମପୁର ଉପନିର୍ବାଚନରେ ଦଳକୁ ବିପୁଳ ବିଜୟ ଆଣିଦେଇଥିବା ଭେଟେରାନଙ୍କ ଉପରେ ପୁଣି ଭରସା କରିଛି।

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିର ରଣନୀତି । ୪ଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟିରେ ଉପନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ। ପଦ୍ମପୁର ଉପନିର୍ବାଚନରେ ଦଳକୁ ବିପୁଳ ବିଜୟ ଆଣିଦେଇଥିବା ଭେଟେରାନଙ୍କ ଉପରେ ପୁଣି ଭରସା କରିଛି। କିରିମିରା ବ୍ଲକ ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଟୁକୁନି ସାହୁଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଲଇକେରା ବ୍ଲକ ପାଇଁ ପ୍ରତାପ କେଶରୀ ଦେବ ଓ ଦିବ୍ୟଶଙ୍କର ମିଶ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।

କୋଲାବିରା ବ୍ଲକ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସରୋଜ ମେହେର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିବେ । ସେହିପରି ଝାରସୁଗୁଡ଼ା ବ୍ଲକ ପାଇଁ ପଦ୍ମନାଭ ବେହେରା ଓ ଅରୁଣ ସାହୁଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି । ଝାରସୁଗୁଡ଼ା ମ୍ୟୁନିସିପାଲିଟି ପାଇଁ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ ଓ ରୀତା ସାହୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇବେ । ଆଜି ଝାରୁସୁଗୁଡ଼ା ଉପନିର୍ବାଚନ ନେଇ ଏକ ହୋଟେଲରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ରୁଦ୍ଧଦ୍ୱାର ବୈଠକରେ ଉପନିର୍ବାଚନ ପରିଚାଳନା ନେଇ ଆଲୋଚନା ହୋଇଛି ।

ଉପନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ବିଜେଡିର ୩ ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକ ବୈଠକରେ ସାମିଲ ହୋଇ ରଣନୀତି ନେଇ ଆଲୋଚନା କରିଛନ୍ତି । ବୈଠକରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ଭାଇ ବିଶାଳ ଦାସ ବି ଉପସ୍ଥିତ ଥିଲେ । ବିପୁଳ ବ୍ୟବଧାନରେ ଦୀପାଳିଙ୍କୁ ବିଜୟୀ କରାଇବା ନେଇ ରଣନୀତି କରାଯାଇଛି । ଏହି ବୈଠକରେ ବ୍ଲକ ଓ ମ୍ୟୁନିସିପାଲିଟି ଦାୟିତ୍ୱରେ ଦଳର କେଉଁ ନେତାମାନେ ରହିବେ ସେମାନଙ୍କ ନାଁ ଘୋଷଣା କରାଯାଇଥିଲା ।

ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରେ ମୋଟ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୨୧ହଜାର। ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ ୭୧ ହଜାର ୧୧୩ ଭୋଟର ଅଛନ୍ତି। ଏହା ଦଳ ଫୋକସରେ ରହିଛି। ଏଥିପାଇଁ ଜଣେ ମନ୍ତ୍ରୀ ଓ ୩ଜଣ ପୂର୍ବତନ ମନ୍ତ୍ରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଝାରସୁଗୁଡ଼ା ବ୍ଲକରେ ଅଛନ୍ତି ୩୮ହଜାର ୫୪୬ ଭୋଟର। କିରିମିରା ବ୍ଲକରେ ଭୋଟରଙ୍କ ସଂଖ୍ୟା ୩୩ହଜାର ୯୦୧ ରହିଥିବା ବେଳେ କୋଲାବିରା ବ୍ଲକରେ ୭୩୮୧୦ ଭୋଟର ରହିଛନ୍ତି। ଲଇକେରା ବ୍ଲକରେ ୩୯ହଜାର ୭୦୩ ମତଦାତା ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.