ବିଜେପି ଛାଡି ବିଜେଡିରେ ଯୋଗଦେଲେ ଯାଜପୁରର ୩୪ ଏବଂ ୩୬ନଂ ଜିଲ୍ଲା ପରିଷଦ ସଭ୍ୟ

ଯାଜପୁର (କେନ୍ୟୁଜ): ବିଜେପି ଛାଡି ବିଜେଡିରେ ଯୋଗଦେଲେ ଯାଜପୁର ଜିଲ୍ଲାର ଦୁଇ ଜିଲ୍ଲା ପରିଷଦ ସଭ୍ୟ । ଏନେଇ ଯାଜପୁର ଜିଲ୍ଲା ଜାରକା ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ୩୪ନଂ ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଂଜନ ନାୟକ ଓ ୩୬ନଂ ଜିଲ୍ଲା ପରିଷଦ ସଭ୍ୟ ଚତୃର୍ଭୁଜ ଦ୍ୱିବେଦୀ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ।

ଅନୁଷ୍ଠିତ ମିଶ୍ରଣ ପର୍ବ ଉତ୍ସବରେ ରାଜ୍ୟ ବିଜେଡିର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ବରୀ ବିଧାୟିକା ସୁନନ୍ଦା ଦାସ ଅତିଥି ଭାବେ ଯୋଗଦେଇ ଦଳୀୟ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଥିଲେ । ବିଜେପି ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଦୁହେଁ କିଛି ଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିଲେ ।

ଏମାନଙ୍କ ସହ ଶତାଧିକ ବିଜେପି କର୍ମୀ ମଧ୍ୟ ଦଳ ଛାଡି ବିଜେଡିରେ ଯୋଗଦାନ କରିଛନ୍ତି । ଦୁଇ ଜିଲ୍ଲା ପରିଷଦଙ୍କ ଯୋଗଦାନ ପରେ ଯାଜପୁର ଜିଲ୍ଲାରେ ବିଜେଡିର ସଂଗଠନ ଆହୁରି ମଜବୁତ ହେବ ବୋଲି ଦଳୀୟ ନେତା କହିଛନ୍ତି । ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ଜିଲ୍ଲା ବିଜେଡିର ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଦୁହେଁ ଦଳରେ ସାମିଲ ହୋଇଥିବା ପ୍ରତିକ୍ରୀୟାରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.