ଚାଷୀ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବ ବିଜେଡି , ଆସନ୍ତା ୮ରେ ପାର୍ଲାମେଣ୍ଟ ଘେରିବ ଦଳ

ଭୁବନେଶ୍ବର(କେନ୍ୟୁଜ୍) : ଚାଷୀ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବ ବିଜେଡି । ଆସନ୍ତା ୮ ତାରିଖରେ ପାର୍ଲାମେଣ୍ଟ ଘେରିବ ଦଳ । ଏଥିରେ ବିଜେଡିର ସମସ୍ତ ସାଂସଦ, ବିଧାୟକ ଓ କୃଷକ ପ୍ରତିନିଧି ସାମିଲ ହେବେ । ବିଜୁ କୃଷକ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଆସନ୍ତା ୬ ତାରିଖରେ ବିଜେଡି ଦିଲ୍ଲୀ ଚଲୋ ଡାକରା ଦେଇଛି । ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଦିଲ୍ଲୀ ଯିବେ ।
କେନ୍ଦ୍ର ପକ୍ଷରୁ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରାଯାଉନି । ଚାଷୀକୁ ତାର ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ମିଳୁନଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଦର ଧାର୍ୟ୍ୟ କରିବା ରାଜ୍ୟର ନୁହେଁ କେନ୍ଦ୍ରର ଦାୟିତ୍ୱ । ତେବେ ରାଜ୍ୟ ପକ୍ଷରୁ ଏମଏସପି ଦାବି କରିଆସୁଥିଲେ ବି କେନ୍ଦ୍ର ଶୁଣୁନି । ଚାଷୀଙ୍କ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।