କେନ୍ଦ୍ରର ଧାନ କ୍ରୟ ନୀତିକୁ ରାଜ୍ୟରେ ତୀବ୍ର ବିରୋଧ, ଆଜିଠୁ ଗଣ ଆନ୍ଦୋଳନ କରିବ ବିଜେଡି

ଆଜି ପୂର୍ବାହ୍ନରେ ରାଜଭବନ ଆଗରେ ବିଜେଡି ତରଫରୁ କେନ୍ଦ୍ର ବିରୋଧରେ ବିକ୍ଷୋଭ ଓ ବିଶାଳ ସମାବେଶ କରାଯିବ । ୧୫ତାରିଖରେ ପ୍ରତି ପଞ୍ଚାୟତ ହେଡକ୍ବାର୍ଟରରେ ଆନ୍ଦୋଳନ କରିବ ବିଜେଡି । ୧୬ତାରିଖରେ ବ୍ଲକ ଓ ଜିଲ୍ଲାପାଳ ଅଫିସଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ଭୁବନେଶ୍ୱର(କେନ୍ୟୁଜ୍‌): କେନ୍ଦ୍ରକୁ ବିରୋଧ କରି ଆଜିଠାରୁ ଗଣ ଆନ୍ଦୋଳନ କରିବ ବିଜେଡି। ଆଜି ପୂର୍ବାହ୍ନରେ ରାଜଭବନ ଆଗରେ ବିଜେଡି ତରଫରୁ କେନ୍ଦ୍ର ବିରୋଧରେ ବିକ୍ଷୋଭ ଓ ବିଶାଳ ସମାବେଶ କରାଯିବ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ୧୫ତାରିଖରେ ପ୍ରତି ପଞ୍ଚାୟତ ହେଡକ୍ବାର୍ଟରରେ ଆନ୍ଦୋଳନ କରିବ ବିଜେଡି । ୧୬ତାରିଖରେ ବ୍ଲକ ଓ ଜିଲ୍ଲାପାଳ ଅଫିସଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ଧାନ କ୍ରୟକୁ ନେଇ ସୋମବାର ବିଜେଡି ବିଧାୟକ ଅରୁଣ ସାହୁ ଏକ ପ୍ରେସମିଟ୍‌ କରି କେନ୍ଦ୍ରର ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କେନ୍ଦ୍ରର ଯେଉଁଭଳି ବଜେଟ୍‌ କରାଯାଇଛି, ତାହା ଫଳରେ ଓଡ଼ିଶା କ୍ଷତିଗ୍ରସ୍ତ ହେବ। ୨୦ ହଜାର କୋଟି ଟଙ୍କା କମ୍‌ କରାଯାଇଛି। ପୂର୍ବରୁ କେନ୍ଦ୍ର ୧୮ ଲକ୍ଷ ମେଟ୍ରିକ ଟନ୍‌ ଧାନ ଉଠାଉ ଥିବା ବେଳେ ବର୍ତ୍ତମାନ ଉଷୁନା ଚାଉଳ ଉଠାଇବା ବରାଦକୁ ୧୪ ଲକ୍ଷ ମେଟ୍ରିକ ଟନ୍‌କୁ କମାଇ ଦିଆଯାଇଛି। କେବଳ ୪ ଲକ୍ଷ ମେଟ୍ରିକ ଟନ ବରଗଡ଼ ଜିଲ୍ଲାରେ ଉତ୍ପାଦନ କରାଯାଉଛି। ଯାହା ଫଳରେ ଓଡ଼ିଶା ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ନୀତିରେ କେନ୍ଦ୍ର ସରକାର ୫ କେଜି ମାଗଣା ଚାଉଳକୁ କମାଇ ଦେଇଛନ୍ତି। ବର୍ତ୍ତମାନ ୫ କେଜି ଚାଉଳ କାଟି ଦେବା ଫଳରେ ଓଡ଼ିଶାରେ ୩ କୋଟି ୨୫ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହେବେ। ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ୧୪ ହଜାର କୋଟି ଟଙ୍କା କେନ୍ଦ୍ର ଦେଉନି। କେନ୍ଦ୍ର ଅନ୍ୟାୟ ବିରୋଧରେ ବିଜେଡି ଗଣ ଆନ୍ଦୋଳନ କରିବ। ରାଜ୍ୟପାଳଙ୍କୁ ଭେଟି ବିଜେଡି ରାଷ୍ଟ୍ରପତିଙ୍କ ଜରିଆରେ ସ୍ମାରକ ପତ୍ର ଦେବ ବୋଲି ସେ କହିଛନ୍ତି। ଆଜିଠୁ ବିଜେଡି ଆନ୍ଦୋଳନ ଡାକରା ଦେଇଛି । ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବାପରେ ପୂର୍ବାହ୍ନରେ ଆନ୍ଦୋଳନରେ ବସିବ। ୧୫ରେ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଚାଷୀ ଯୋଗଦେଇ ଆନ୍ଦୋଳନ କରିବ। ସେହିପରି ୧୬ ତାରିଖରେ ସମସ୍ତ ବ୍ଲକ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜୁ ଜନତା ଦଳ ଚାଷୀଙ୍କ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଅରୁଣ ସାହୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.