୨୦୧୯ ନିର୍ବାଚନକୁ ଆଉ ମାସ କେଇଟା : ମହିଲା ୱିଙ୍ଗ୍‌କୁ କ୍ରିୟାଶୀଳ କରୁଛି ବିଜେଡି

ଭୁବନେଶ୍ବର : ବିଜୁ ମହିଳା ମୋର୍ଚ୍ଚାର ରାଜ୍ୟ କାର୍ୟ୍ୟକାରିଣୀ । ଯୋଗ ଦେଇଥିଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ମହିଳା କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ । ଏବେଠାରୁ ମହିଳାଙ୍କ ଆସ୍ଥାଭାଜନ ହେବାକୁ ପଡ଼ିବ । କାରଣ ବିଭିନ୍ନ ନିର୍ବାଚନରେ ଲୋକାଭିମୁଖୀ ଯୋଜନା ଯୋଗୁ ବିଜେଡି ମହିଳା ଭୋଟରଙ୍କ ସମର୍ଥନ ଅଧିକ ପାଇ ବିଜୟଧାରା ବଜାୟ ରଖିଛି । ଏହାକୁ କିଭଳି ବଜାୟ ରଖିବେ ତାଉପରେ ଗୁରୁତ୍ୱ ଦେଇଛି ବିଜେଡି । ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ମହିଳାଙ୍କ ପାଇଁ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପହଞ୍ଚାଇବାକୁ ଆହ୍ଵାନ ଦେଇଛନ୍ତି ବିଜେଡି ସଭାପତି ।

ନବୀନ ସରକାର ରାଜ୍ୟର ମହିଳାଙ୍କ ପାଇଁ ଅନେକ ଯୋଜନା ଓ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ସହ ମିଶନ ଶକ୍ତି କାର୍ୟ୍ୟକାରୀ ହେଉଛି । ଲାଗୁ ହୋଇଛି ଖୁସି ଯୋଜନା । ଛାତ୍ରୀଙ୍କୁ ବଣ୍ଟା ଯାଉଛି ମାଗଣାରେ ସାନିଟାରି ନାପ୍‌କିନ । ମହିଳାଙ୍କୁ ସବସିଡିରେ ସାନିଟାରି ନାପ୍‌କିନ୍‌ ଦିଆଯାଉଛି । ସେହିପରି ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ଲାଗୁ ହୋଇଛି ମମତା ଯୋଜନା । ଗର୍ଭବତୀଙ୍କୁ ଟିକା ସହ ଅଙ୍ଗନବାଡି ଜରିଆରେ ପୁଷ୍ଟିକର ଛତୁଆ ଦିଆଯାଉଛି । ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କା ଯାଏଁ ଚିକିତ୍ସା ସୁବିଧା କରିଛନ୍ତି ରାଜ୍ୟ ସରକାର । ଏହାବ୍ୟତୀତ ସରକାରଙ୍କ ଫୋକସ୍‌ରେ ରହିଛି ମହିଳାଙ୍କ ସୁରକ୍ଷା । ସବୁ ଥାନାରେ ମହିଳା ଡେକ୍ସ ଖୋଲିଛି । ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ବି ସହାୟତାର ହାତ ବଢ଼ାଇଛନ୍ତି ସରକାର ।

ବିଜେଡିର ସ୍ଲୋଗାନ ମାଆକୁ ସମ୍ମାନ, ଗାଁକୁ କାମ । ଏହାକୁ କିଭଳି ସଫଳ କରାଯିବ, ସେନେଇ ରୋଡମ୍ୟାପ୍‌ ବି କରୁଛି ବିଜେଡି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଚାଷୀ, ମହିଳା ସ୍ୱଂୟ ସହାୟତ ଗୋଷ୍ଠୀ ସଦସ୍ୟଙ୍କୁ ଭେଟି ବିକାଶର ମନ୍ତ୍ର ଦେଉଛନ୍ତି ।

Leave A Reply

Your email address will not be published.