ଭୁବନେଶ୍ବରରେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ, ବାଛିବେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ।  ବିଜେପିର କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ପହଞ୍ଚିଛନ୍ତି ।  ବିଜେପି ବିଧାୟକ ଏବଂ ନେତାଙ୍କ ସହ ଆଲୋଚନା କରିବେ। ଉଭୟ ବିଜେପି ବିଧାୟକ ଦଳ ବୈଠକରେ ଉପସ୍ଥିତ ରହିବେ। ବୈଠକ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରି ପାରନ୍ତି। ତାଙ୍କୁ ବିମାନବନ୍ଦରରେ ବିଜେପି ନେତା ସ୍ବାଗତ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସର୍ବସମ୍ମତିକ୍ରମେ ବିଧାୟକ ଦଳ ବୈଠକରେ ଘୋଷଣା କରାଯିବ।  କେନ୍ଦ୍ରୀୟ ନେତା ବାଛିଥିବା ନାଁକୁ ଉପସ୍ଥାପନା କରିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ଜାରି ରହିଛି। ମନମୋହନ ସାମଲ ମଧ୍ୟ ରେସରେ ଆଗରେ ଅଛନ୍ତି। କେଭି ସିଂଦେଓ, ମୋହନ ମାଝୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ପ୍ରଭାତୀ ପରିଡ଼ା, ସୁରମା ପାଢ଼ୀଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ସେହିଭଳି ୨ ଜଣ ଉପମୁଖ୍ୟମନ୍ତ୍ରୀ ପଦବୀ ସୃଷ୍ଟି ହୋଇପାରେ। ବିଧାୟକ ଦଳ ନେତା ଚୟନ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ।

ସେହିପରି ଆସନ୍ତାକାଲି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏହା ଛଡ଼ା ବହୁ ଭିଭିଆଇପି, ଶିଳ୍ପପତି ଓ ବିଶିଷ୍ଟ ବ୍ୟକ୍ତି ଓଡ଼ିଶା ଆସିବେ। ବିମାନ ବନ୍ଦରରେ ପହଞ୍ଚିବା ଠାରୁ ହୋଟେଲରେ ରହିବା ଏବଂ ପୁଣି ବିମାନ ବନ୍ଦରକୁ ଫେରିବା ପର୍ଯ୍ୟନ୍ତ ସବୁଠୁ ପୋଲିସ ଛାଉଣୀ ରହିବ। ବିମାନ ବନ୍ଦର, ରାଜଭବନ ଓ ଜନତା ମୈଦାନରେ ସୁରକ୍ଷା କଡ଼ାକଡ଼ି । ଶପଥ ଗ୍ରହଣ ସମାରୋହ ପାଇଁ ଜନତା ମୈଦାନରେ ସୁରକ୍ଷାର ପ୍ରତିଟି ଦିଗ ଉପରେ ନଜର ରଖିଛି କମିଶନରେଟ ପୋଲିସ। ୨୪ ଘଣ୍ଟିଆ ପହରା ଦେଉଛନ୍ତି ସୁରକ୍ଷାକର୍ମୀ । ପ୍ରାୟ ୩୫ ହଜାର ଲୋକ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ।

Leave A Reply

Your email address will not be published.