Below header

ସାଲେପୁର ଛୋଟିପଡ଼ା ଗାଁରେ ଗଗନା ମୋଡୁଛି ବେକ : ପିଲାଏ କରୁଛନ୍ତି ଅସ୍ୱାଭାବିକ ଆଚରଣ, ଅଭିଭାବକ କହୁଛନ୍ତି ଗୁଣି ଗାରେଡ଼ି

ମାହାଙ୍ଗା (କେ ନ୍ୟୁଜ୍‌) : ବିଜ୍ଞାନ ଯୁଗରେ ଭୂତ, ପ୍ରେତ, ଗୁଣିଗାରେଡ଼ିର ଭୟ । ଅସ୍ୱାଭାବିକ ଘଟଣା ଘଟୁଛି କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ମିର୍ଜାପୁର ଅନ୍ତର୍ଗତ ଛୋଟିପଡ଼ା ଗାଁରେ । ଗତ ପ୍ରାୟ ୨୦ ଦିନ ହେବ ଗାଁର ପିଲାମାନେ ଏମିତି ବ୍ୟବହାର କରୁଛନ୍ତି । କହୁଛନ୍ତି ସେମାନଙ୍କୁ ଗୁଣି ଗାରେଡ଼ି କରୁଥିବା ଗଗନା ଏଭଳି କରାଉଛି ।
ପିଲାମାନଙ୍କର ଏଭଳି ଆଚରଣର ସେମାନଙ୍କ ବାପା ମା’ଙ୍କୁ ଚିନ୍ତାରେ ପକାଇଛି । ଏହାକୁ ନେଇ ଗାଁ ଲୋକେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ପୋଲିସ୍‌ ବା କରିବ କଣ ? ପୋଲିସ୍‌ ଦ୍ୱାରା କିଛି ନହେବାରୁ ଲୋକେ ଏବେ ଗୁଣିଆକୁ ଭରସା କରିଛନ୍ତି ।

GHOST-3ସୂଚନା ଥାଉକି ସ୍କୁଲରେ ପଢୁଥିବା କିଛି ପିଲାଙ୍କ ଠାରେ ଏହି ଅସ୍ୱାଭାବିକତା ଦେଖିବାକୁ ମିଳୁଛି । ସେମାନେ ଆଖି ଲେଉଟାଇ ପକାଉଛନ୍ତି । ବାଉଳି ଚାଉଳି ହୋଇ ଅନର୍ଗଳ ଗପୁଛନ୍ତି । ଅଚେତ ହୋଇପଡୁଛନ୍ତି । ବେଶ୍‌ କିଛି ଦିନ ହେବ ଏଭଳି ଘଟଣା ଘଟୁଥିବାରୁ ପୂରା ଗାଁରେ ଭୟର ବାତାବରଣ । ଗତ ଫେବ୍ରୁଆରୀ ୨୨ ତାରିଖ ସନ୍ଧ୍ୟାରେ ଜଣେ ୧୩ ବର୍ଷର ନାବାଳିକା ଗାଁ ନିକଟ ପଡ଼ିଆକୁ ଶୌଚ କରିବାକୁ ଯାଇଥିଲା । ତାର କହିବା ଅନୁସାରେ ସେଠାରୁ ତା ମୁହଁରେ ଗାମୁଛା ବାନ୍ଧି ତାକୁ ଦୁଇ ଜଣ ଅପହରଣ କରି ନେଲେ । ତାକୁ ଅଚେତ କରି ଦେଇଥିଲେ । ଗାଁ ଶ୍ମଶାନରେ ତାକୁ ବଳି ଦେବାକୁ ଉଦ୍ୟମ କଲା ବେଳେ ଚେତା ଫେରି ପାଇ ଝିଅଟି ସେଠାରୁ ଖସି ପଳାଇ ଆସିଥିଲା । ଅପହରଣକାରୀଙ୍କ ମଧ୍ୟରେ ଗୁଣିଆ ଗଗନା ଥିଲା ବୋଲି ଝିଅଟି ତାର ପରିବାର ଲୋକଙ୍କୁ କହିଥିଲା । ଏହା ପରେ ଗଗନାକୁ ପଚରା ଯିବାରୁ ସେ ସମସ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଏମିତି କି ଗାଁର ବିଭିନ୍ନ ଜାଗାରେ ସିନ୍ଦୂର ଓ ଫୁଲ ଦେଇ ପୂଜା କରିଥିଲା । ଏଥଇରେ ଆହୁରି ଭୟ ପାଇଥିଲେ ଗାଁ ଲୋକେ । ଏହା ପରେ ଜଣେ କି ଦୁଇ ଜଣ ନୁହଁ, ଅଧିକ ପିଲା ଅସ୍ୱାଭାବିକ ଆଚରଣ କରିବାରେ ଲାଗିଛନ୍ତି । ଫଳରେ ସବୁ ଲୋକ ଭୟ ଭିତରେ ଜୀଉଛନ୍ତି ।

GHOST-2ଅସୁସ୍ଥ ପିଲାମାନଙ୍କୁ ଲୋକେ ପ୍ରଥମେ ଡାକ୍ତରଖାନା ନେଇ ଚିକିତ୍ସା ମଧ୍ୟ କରିଥିଲେ । ହେଲେ କିଛି ଲାଭ ହେଲା ନାହିଁ । ଅନ୍ୟପକ୍ଷରେ ପୋଲିସ୍‌ ଘଟଣାର ତଦନ୍ତ କରିବା ସହ ଗାଁ ଲୋକଙ୍କୁ ଗୁଣିଗାରେଡ଼ିରେ ବିଶ୍ୱାସ ନକରିବାକୁ ବୁଝାସୁଝା କରିଛି । ତେବେ ଏଇ ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ, ଭୂତ ସମେତ ଗୁଣିଗାରେଡ଼ି ଉପରେ ତଥାପି ଲୋକଙ୍କର ବିଶ୍ୱାସ ରହିଛି । କାରଣ ପିଲାମାନଙ୍କ ଏଭଳି ବ୍ୟବହାର ପଛର ସଠିକ୍‌ କାରଣ କେହି ଖୋଜି ପାଉ ନାହାନ୍ତି । ସମାଧାନର ବାଟ ମିଳୁନାହିଁ । ସେଥିଲାଗି ଛୋଟିପଡ଼ା ଗାଁ ଲୋକେ ସମସ୍ତେ ଚିନ୍ତିତ ଓ ଆତଙ୍କିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.