Below header

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଫସିଲା ଦେଶୀ ଡଙ୍ଗା, ୭ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ

ନବରଙ୍ଗପୁର(କେନ୍ଯୁଜ୍): ଜଳଯାତ୍ରା ସମୟରେ ଟଳିଲା ବଡ଼ ଅଘଟଣ । ଜଳଭଣ୍ଡାର ମଧ୍ୟରେ ଦୀର୍ଘ ସମୟ ଧରି ଫସି ରହିଥିଲେ ଯାତ୍ରୀ । ଯାତ୍ରୀଙ୍କୁ ଉଦ୍ଧାର କଲେ ବୋଟ୍ ଆମ୍ବୁଲାନ୍ସ କର୍ମଚାରୀ । ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦକ୍ଷିଣା ପବନ ଯୋଗୁଁ ଜଳଭଣ୍ଡାରର ମଝିରେ ଫସି ରହିଥିଲା ଦେଶୀ ଡଙ୍ଗା। ଡଙ୍ଗା ଦ୍ୱାରା ଘରକୁ ଫେରୁଥିବା ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ବୋଟ ଆମ୍ବୁଲାନ୍ସର କର୍ମଚାରୀ ।

ସୂଚନା ଅନୁଯାୟୀ ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ତଲଙ୍ଗ ଗ୍ରାମର ୩ ଜଣ ନାବାଳକଙ୍କ ସମେତ ମୋଟ ୭ଜଣ ଯାତ୍ରୀ ନିଜର ଦେଶୀ ଡ଼ଙ୍ଗା ନେଇ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ କୌଣସି କାମରେ ଖାତିଗୁଡା ଆସିଥିଲେ । କାମ ସାରି ସନ୍ଧ୍ୟାରେ ପୁଣି ବାରିଆଘାଟରୁ ଦେଶୀ ଡଙ୍ଗା ଯୋଗେ ଘରକୁ ଫେରୁଥିଲେ। ହଠାତ ମଝି ଦରିଆରେ ଦକ୍ଷିଣା ପବନ ହେବାରୁ ଢେଉ ବଢିଯାଇ ସେମାନଙ୍କ ଦେଶୀ ଡ଼ଙ୍ଗା ଭିତରକୁ ପାଣି ପଶିଯାଇଥିଲା। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇବା ଆରମ୍ଭ କରିଥିଲା।ଏପରି ବିପତିରେ ନାଉରୀଆ ଜଣକ ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରିଥିଲେ । ତୁରନ୍ତ ପୋଡ଼ାଗଡ଼ ନଦୀ ବନ୍ଧରେ ଥିବା ୧୦୮ ବୋଟ ଆମ୍ବୁଲାନ୍ସ ର ଡ୍ରାଇଭରକୁ ଫୋନ୍ କରି ସହାୟତା ପାଇଁ ନିବେଦନ କରିଥିଲେ ।

ଖବର ପାଇ ଆମ୍ବୁଲାନ୍ସ ବୋଟ୍ ଚାଳକ କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ଦେଶୀ ଡଙ୍ଗା ଭିତରେ ପ୍ରାୟ ୭୦ ପ୍ରତିଶତ ପାଣି ପଶି ଯାଇଥିଲା । ତୁରନ୍ତ ଡଙ୍ଗାରେ ଥିବା ୭ଜଣ ଯାତ୍ରୀ ଓ ୩ ଟି ସାଇକଲ ସହ ଅନ୍ୟାନ୍ୟ ସାମଗ୍ରୀକୁ ଉଦ୍ଧାର କରିଥିଲେ । ବୋଟ ଆମ୍ବୁଲାନ୍ସ କର୍ମଚାରୀ ସମସ୍ତ ଯାତ୍ରୀକୁ ନେଇ ତଲଙ୍ଗ ଗାଁ ରେ ପହଞ୍ଚିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ବୋଟ ଆମ୍ବୁଲାନ୍ସ କର୍ମଚାରୀ ଠିକ ସମୟରେ ପହଞ୍ଚି ଯିବାରୁ ବଡ଼ ଅଘଟଣରୁ ଯାତ୍ରୀ ମାନେ ବର୍ତ୍ତି ଯାଇଥିଲେ । ବୋଟ୍ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି । ବୋଟ୍ ଆମ୍ବୁଲାନ୍ସ କର୍ମଚାରୀଙ୍କ ପାଇଁ ସମସ୍ତ ଯାତ୍ରୀ ଏକ ନୂତନ ଜୀବନ ପାଇପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.