ବାଇକ୍‌ ଆରୋହୀଙ୍କ ଉପରକୁ ଡିଆଁ ମାରିଲା ବାଘ, ଘଉଡ଼ାଇବା ପରେ ବି ପୁଣି ଆସି ଏମିତି ଡରାଇଲା; ଭାଇରାଲ ହେଉଛି ଭିଡିଓ

ମାତିଛି ବାଘ। ଯାହାକୁ ସାମ୍ନାରେ ପାଉଛି ଝପଟି ପଡ଼ୁଛି। ଫଳରେ ଲୋକେ ଏବେ ଭୟରେ ତାଟି କବାଟ କିଳି ରହୁଥିବା ଦେଖାଯାଇଛି। ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ବାଘ ଯୋଗୁ ଲୋକେ ଶଙ୍କାରେ ଅଛନ୍ତି। ଗତ ରାତିରେ ବାଇକରେ କାମକୁ ଯାଉଥିବା ଜଣେ ଶ୍ରମିକ ଉପରକୁ ହଠାତ୍‌ ବାଘ ଆକ୍ରମଣ କରିଛି। ଅଚାନକ ବାଘ ଆକ୍ରମଣ କରିବାରୁ ଶ୍ରମିକ ଜଣକ ବାଇକ୍‌ ସହ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଫଳରେ ବାଘ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲା। କିନ୍ତୁ ଘଟଣାସ୍ଥଳରେ ଥିବା ଅନ୍ୟ ଶ୍ରମିକ ମାନେ ଚିତ୍କାର କରିବାରୁ ବାଘ ସେଠାରୁ ଚାଲିଯାଇଥିଲା ଓ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଥିବା ଜଣାଯାଇଛି। ଅନ୍ଧକାରର ସୁଯୋଗ ନେଇ ବାଘ ସେଠାରୁ ସେତେବେଳେ ଚାଲିଯାଇଥିବା ବେଳେ କିଛି ସମୟ ପରେ ପୁଣି ସେଠାକୁ ଆସିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଶ୍ରମିକଙ୍କ କହିବାନୁସାରେ ସେମାନେ ୱେଷ୍ଟର୍ଣ୍ଣ କୋଲ ଫିଲ୍ଡର ପଦ୍ମାପୁର କୋଇଲା ଖଣିରେ କାମ କରନ୍ତି। ସେମାନେ ରାତିରେ କାମକୁ ଯାଉଥିବା ବେଳେ ହଠାତ୍‌ ଏକ ବାଘ ତାଙ୍କୁ ଉପରକୁ ଆକ୍ରମଣ କରିଥିଲା। ସେମାନେ ଚିଲ୍ଳାଇବାରୁ ବାଘଟି ପ୍ରଥମେ ସ୍ଥାନ ଛାଡ଼ି ଯାଇଥିଲା। ଏଣୁ ସେମାନେ ଭାବିଥିଲେ ଯେ ବାଘ ଆଉ ଆସିବନି। କିନ୍ତୁ ବାଇକ ଚାଳକଙ୍କୁ ଉଠାଇବା ବେଳେ ବାଘ ପୁଣିଥରେ ସାମ୍ନାକୁ ଆସିଥିଲା।

ବାଘକୁ ସାମ୍ନାରେ ଦେଖି ଶ୍ରମିକମାନେ ଖୁବ୍‌ ଡରି ଯାଇଥିଲେ। ଦୀର୍ଘ ସମୟ ଧରି ବାଘ ସେହି ଖଣି ନିକଟରେ ବୁଲୁଥିଲା। ଲୋକମାନେ ପାଟି କରି ବାଘକୁ ଘଉଡ଼ାଇବାକୁ ବହୁ ଚେଷ୍ଟା କରିଥିଲେ। ଏହି ପୂରା ଘଟଣାକୁ ଜଣେ ଶ୍ରମିକ ନିଜ ମୋବାଇଲରେ ସୁଟିଂ କରିଥିଲେ। ତେବେ କିଛି ସମୟ ପରେ ବାଘ ଜଙ୍ଗଲକୁ ଚାଲିଯାଇଥିଲା ଓ ଶ୍ରମିକମାନେ କାମକୁ ଫେରିଥିଲେ। କିନ୍ତୁ ଏମିତି ଅଚାନକ ବାଘ ଦେଖି ଶ୍ରମିକମାନେ ଭୟ କରିଯାଇଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.