Below header

ହୋଟେଲ୍ ରୁମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁ ଅଟକ

ହୋଟେଲ୍ ରୁମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ବ୍ରହ୍ମପୁର ଗୋଳନ୍ଥରା ଥାନା ହଳଦିଆପଦର ନିକଟରେ ଥିବା ନିର୍ମଳା ପ୍ଲାଜା ନାମକ ହୋଟେଲ ଓୟୋ ରୁମରୁ ଉଦ୍ଧାର ହୋଇଛି ମୃତଦେହ ।

ହୋଟେଲ୍ ରୁମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ବ୍ରହ୍ମପୁର ଗୋଳନ୍ଥରା ଥାନା ହଳଦିଆପଦର ନିକଟରେ ଥିବା ଏକ ହୋଟେଲ ଓୟୋ ରୁମରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ପୁରୀ ଜିଲ୍ଲା ବୀରଭଦ୍ରପୁର ଅଂଚଳର ଜଣେ ଅଙ୍ଗନବାଡ଼ି କର୍ମୀ । ଗତକାଲି ସନ୍ଧ୍ୟାରେ ରାୟଗଡ଼ା ଅଞ୍ଚଳର ନିଜ ପୁରୁଷ ବନ୍ଧୁ ସଂକେତ ସେନାପତିଙ୍କ ସହ ଓୟୋ ରୁମକୁ ଆସିଥିଲେ । ସଂକେତଙ୍କ ଜନ୍ମଦିନ ପାଳନ କରିବାକୁ ଆସିଥିଲେ ଯୁବତୀ ।

ଗତକାଲି ରାତି ୧୦ଟା ୩୦ ମିନିଟରେ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନେଇଥିଲେ ସଂକେତ । ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଗୋଳନ୍ଥରା ଥାନା ପୋଲିସ । ପୁରୁଷ ବନ୍ଧୁ ସଙ୍କେତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସଙ୍କେତ ଭୁବନେଶ୍ବରର ଜେ.କେ.ଟାୟାର କମ୍ପାନୀରେ ସେଲସ୍ ମ୍ୟାନେଜର ଭାବେ କାମ କରୁଥିଲେ ।

ଫେସବୁକ ଜରିଆରେ ଉଭୟଙ୍କ ମଧ୍ୟରେ ଗତ ଏକ ବର୍ଷ ହେଲା ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଗତକାଲି ସଙ୍କେତଙ୍କ ଜନ୍ମଦିନ ପାଳନ କରିବା ନିମନ୍ତେ ପୁରୀ ଯିବି କହି ଯୁବତୀ ଜଣକ ଘରୁ ବାହାରିଥିଲେ । ତେବେ କେମିତି ଓ କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତ୍ୟୁ ହେଲା ? କାହିଁକି ଅସୁସ୍ଥ ହୋଇଥିଲେ ? ହୋଟେଲରେ କଣ ଘଟିଥିଲା ? ଫୁଡ୍ ପଏଜନିଂ ନା ଆଉ କିଛି କାରଣ ରହିଛି ? ହଠାତ୍ ମୃତ୍ୟୁ ପଛର କାରଣ କଣ ? ପରିବାର ଲୋକ ଆଣିଥିବା ଅଭିଯୋଗର କେତେ ସତ୍ୟତା ରହିଛି ? ସଙ୍କେତ ରାୟଗଡ଼ାର ହୋଇଥିବା ବେଳେ ଯୁବତୀ ଥିଲେ ପୁରୀ ଜିଲ୍ଲାର । ବର୍ଷେ ପରେ ଫେସବୁକରୁ ଦୁହିଁଙ୍କର ପରିଚୟରୁ ସମ୍ପର୍କ ହୋଇଥିଲା । ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.