କେନ୍ଦୁଝର: କାନଝରି ଡ୍ୟାମରୁ ୩ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ସଦର ଥାନା କାନଝରି ଡ୍ୟାମରୁ ଆଜି ଏକ ମୃତଦେହ ଭାସୁଥିବା ଦେଖାଯାଇଛି। ୩ ଦିନ ତଳେ ଜଣେ ଯୁବକ ପାଣିରେ ବୁଡି ନିଖୋଜ ଥିବା ସନ୍ଦେହ କରାଯାଉଥିଲା। ଯୁବକ ଜଣକ ଘଟଗାଁ ବ୍ଲକ ସରାସପଶି ପଂଚାୟତ ଭାଲିକିପତାଳାର ପ୍ରତିକ ମହାନ୍ତ ବୋଲି ଚର୍ଚ୍ଚା ହେଉଥିଲା।
ଯୁବକ ଜଣକ ନିଜର ବାଇକଟିକୁ ଡ୍ୟାମ ଉପରେ ରଖି ପାଣିକୁ ଡେଇଁ ପଡିଥିବା ଅଭିଯୋଗ ହୋଇଥିଲା। ପୋଲିସ ଓ ଅଗ୍ନିଶମ ବିଭାଗ ଡ୍ୟାମରେ ପଶି ଗତ ଶୁକ୍ରବାର ଖୋଜାଖୋଜି କରି ନିରାଶ ହୋଇଥିଲେ। ଆଜି ପ୍ରତିକଙ୍କର ମୃତଦେହ ପାଣିରେ ଭାସିବା ପରେ ସନ୍ଦେହ ହଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଗ୍ନିଶମ ବିଭାଗ ଶବକୁ ପାଣିରୁ ଉଦ୍ଧାର କରିଛି । ଏନେଇ ସଦର ଥାନାରେ ଯୁବକଙ୍କ ପରିବାର ନିଖୋଜ ମାମଲା ମଧ୍ୟ ଦେଇଥିଲେ।