କେଏଲ ରାହୁଲ ଏବଂ ଅଶ୍ୱିନଙ୍କୁ ଟିମ୍ରୁ ବାଦ୍ ଦେଇ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦିଅ, ରୋହିତଙ୍କୁ ନିବେଦନ କଲେ ହରଭଜନ

ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତ ହାରିବା ପରେ ଭାରତୀୟ ଟିମର ପୂର୍ବତନ ଖେଳାଳି ହରଭଜନ ସିଂ ରୋହିତ ଶର୍ମାଙ୍କୁ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିବା ପାଇଁ ନିବେଦନ କରିଛନ୍ତି। ହରଭଜନ କହିଛନ୍ତି, ଆଗାମୀ ମ୍ୟାଚ୍ରେ କେଏଲ ଏବଂ ସ୍ପିନର ଅଶ୍ୱିନଙ୍କ ସ୍ଥାନରେ ରିଷଭ ପନ୍ତ ଏବଂ ଯୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ଦିଆଯାଉ। ଯଦି ଦିନେଶ କାର୍ତ୍ତିକ ମ୍ୟାଚ୍ ପାଇଁ ଫିଟ୍ ନାହାନ୍ତି ତେବେ ଟିମରେ ଦୀପକ ହୁଡ୍ଡାଙ୍କୁ ସ୍ଥାନ ଦିଆଯାଉ।
ହରଭଜନ ସିଂ ଏହି ଖେଳାଳିଙ୍କ ଫର୍ମକୁ ଦେଖି ଏମିତି ମନ୍ତବ୍ୟ ଦେଇଛନ୍ତି। କେଏଲ ରାହୁଲ ଏପର୍ଯ୍ୟନ୍ତ ୩ଟି ମ୍ୟାଚରେ ଫ୍ଲପ୍ ରହିଛନ୍ତି। ଅଶ୍ୱିନ ସାଉଥ ଆଫ୍ରିକା ବିପକ୍ଷରେ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଅଶ୍ୱିନ ୪ ଓଭରରେ ୧ଟି ଓ୍ଵିକେଟ ନେଇ ୪୩ ରନ୍ ଦେଇଛନ୍ତି। ତେବେ ଯୁଜବେନ୍ଦ୍ରକୁ ନେଇ ଭଜି କହିଛନ୍ତି, ଚହଲ ଭଲ ବୋଲିଂ କରନ୍ତି। ଯଦି ସେ ୨ରୁ୩ ଓ୍ଵିକେଟ ନେଇ କିଛି ରନ୍ ଚାପି ଦିଅନ୍ତି, ତେବେ ଦଳ ପାଇଁ କିଛି ସମସ୍ୟା ହେବନି।
ହରଭଜନ ସିଂ ଆହୁରି ମଧ୍ୟ କହିଛନ୍ତି, ରୋହିତ ଶର୍ମାଙ୍କୁ କିଛି କଠିନ ନିଷ୍ପତ୍ତି ନେବାକୁ ପଡିବ। ଟିମ୍ ବିଷୟରେ ଚିନ୍ତା କରିବାକୁ ପଡିବ। କେଏଲ ରାହୁଲ ଜଣେ ଭଲ ଖେଳାଳି, ଏହା ସମସ୍ତେ ଜାଣିଛନ୍ତି। କିନ୍ତୁ ଏବେ ସେ ଫର୍ମରେ ନଥିବା ଯୋଗୁଁ ଟିମ୍ ପାଇଁ ସମସ୍ୟା ହେଉଛି। ମୁଁ ଭାବୁଛି, ତାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ଟିମରେ ସୁଯୋଗ ଦିଆଯାଉ ଏବଂ ରୋହିତଙ୍କ ସହିତ ଓପନିଂ କରିବାକୁ ସୁଯୋଗ ମିଳୁଛି।
ସେହିପରି ଅଶ୍ୱିନଙ୍କ ସ୍ଥାନରେ ଚହଲଙ୍କୁ ସୁଯୋଗ ମିଳୁଛି। ସେ ଜଣେ ଭଲ ବୋଲର। ଓ୍ଵିକେଟ ନେବାରେ ସକ୍ଷମ। ତେବେ ଅଶ୍ୱିନ ଜଣେ ଭଲ ବୋଲର। ତାଙ୍କର ଅଧିକ ଅଭିଜ୍ଞତା ରହିଛି। କିନ୍ତୁ ଏମାନଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ବିଷୟରେ ରୋହିତ ନିଶ୍ଚିତ ଭାବେ ଚିନ୍ତା କରିବା ଜରୁରୀ।
ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବା ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଯୋଗୁଁ ଭାରତ ୧୩୩ରନ୍ କରିପାରିଥିଲା। ୪୯ ରନରେ ୫ୱିକେଟ ହରାଇଥିବା ଭାରତ ସୂର୍ଯ୍ୟଙ୍କ ୬୮ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରି ପାରିଥିଲା। ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୩୪ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ୨୯ ରନ ଦେଇ ୪ଟି ସଫଳତା ପାଇଥିବା ବେଳେ ପାର୍ଣ୍ଣେଲ ୩ଟି ଓ୍ଵିକେଟ୍ ନେଇଥିଲେ। ୧୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ଭାରତ ପରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅର୍ଶଦୀପ ସିଂହ ନିଜର ପ୍ରଥମ ଓଭରରେ ୨ଟି ଓ୍ଵିକେଟ୍ ନେଇ ଭାରତକୁ ବଡ ସଫଳତା ଦେଇଥିଲେ।
Also Read : ଆଜି ଚାଲିଲାନି ବିରାଟଙ୍କ ଯାଦୁ, ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ୍ ୫ୱିକେଟରେ ହାରିଲା ଭାରତ