ଆଜି ଚାଲିଲାନି ବିରାଟଙ୍କ ଯାଦୁ, ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ୍ ୫ୱିକେଟରେ ହାରିଲା ଭାରତ

ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ୍ ହାରିଲା ଭାରତ।  ୫ ୱିକେଟ ରେ ମ୍ୟାଚ୍ ଜିତିଲା ସାଉଥ ଆଫ୍ରିକା। ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବା ଭାରତ ଆଜିର ମ୍ୟାଚ୍ ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଯୋଗୁଁ ଭାରତ ୧୩୩ରନ୍ କରିପାରିଥିଲା। ୪୯ ରନରେ ୫ୱିକେଟ ହରାଇଥିବା ଭାରତ ସୂର୍ଯ୍ୟଙ୍କ ୬୮ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରି ପାରିଥିଲା।ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୩୪ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ୨୯ ରନ ଦେଇ ୪ଟି ସଫଳତା ପାଇଥିବା ବେଳେ ପାର୍ଣ୍ଣେଲ ୩ଟି ଓ୍ଵିକେଟ୍ ନେଇଛନ୍ତି।

୧୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ଭାରତ ପରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅର୍ଶଦୀପ ସିଂହ ନିଜର ପ୍ରଥମ ଓଭରରେ ୨ଟି ଓ୍ଵିକେଟ୍ ନେଇ ଭାରତକୁ ବଡ ସଫଳତା ଦେଇଥିଲେ। ୩ ରନ ସ୍କୋରରେ କ୍ଵିଣ୍ଟନ ଡିକକ୍‌(୧) ଏବଂ ରିଲେ ରସୋ(୦) ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଅଧିନାୟକ ତେମ୍ବା ବାଭୁମା(୧୦) ମହମ୍ମଦ ଶାମିଙ୍କ ଶିକାର ହୋଇଥିଲେ। ୨୪ ରନରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିବା ଦକ୍ଷିଣ ଆଫ୍ରିକାର ଇନିଂସକୁ ସମ୍ଭାଳିଥିଲେ ଆଡନ ମାରକ୍ରମ ଏବଂ ଡେଭିଡ୍ ମିଲର।

ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ରୋହିତ ଶର୍ମା ଏବଂ କେଏଲ ରାହୁଲ। ରୋହିତ ଶର୍ମା(୧୫) ରନ କରି ଆଉଟ୍ ହୋଇଥିଲେ। କେ ଏଲ ରାହୁଲ(୯) ପୁଣି ଥରେ ଫ୍ୟାନସଙ୍କୁ ନିରାଶ କରିଥିଲେ। ଭାରତ ଜଲଦି ଜଲଦି ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଜବରଦସ୍ତ ଫର୍ମରେ ଥିବା ବିରାଟ କୋହଲି ୧୨ ରନ କରି ଆଉଟ୍ ହେବା ପରେ ଦଳକୁ ବହୁତ ବଡ ଝଟକା ଲାଗିଥିଲା। ପ୍ରଥମ ଟି-୨୦ ବିଶ୍ଵ କପ୍ ଖେଳୁଥିବା ଦୀପକ ହୁଡ୍ଡା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୨) ରନ କରି ଆଉଟ୍ ହୋଇଥିଲେ।

ସୂର୍ଯ୍ୟକୁମାର ଯାଦବ ଏବଂ ଦିନେଶ କାର୍ତ୍ତିକ ଦଳ ସ୍ଥିତିରେ ସୁଧାର ଆଣିଥିଲେ। ସୂର୍ଯ୍ୟ ଏବଂ କାର୍ତ୍ତିକ ୬ ଓ୍ଵିକେଟ୍‌ରେ ୫୨ ରନ ଯୋଡି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ସୂର୍ଯ୍ୟକୁମାର ୪୦ ବଲ୍‌ରୁ ୬ ଚୌକା ଏବଂ ୩ ଛକା ବଳରେ ୬୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ତେବେ ଦିନେଶ କାର୍ତ୍ତିକ(୬) ଆଉଟ୍ ହେବା ଫଳରେ ଭାରତକୁ ବଡ ଝଟକା ଲାଗିଥିଲା। ଅଶ୍ଵିନ ୭ ରନ କରି ଆଉଟ୍ ହୋଇଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ୨୯ ରନ ଦେଇ ୪ଟି ସଫଳତା ପାଇଛନ୍ତି। ଓ୍ଵେନ ପାର୍ଣ୍ଣେଲ ୧୫ ରନ ଦେଇ ୩ଟି ଏବଂ ଅନରିଚ ନୋର୍ତ୍ତଜେ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.