ରବିବାରଠୁ ଆରମ୍ଭ ହେବ କରୋନା ଟିକାର ବୁଷ୍ଟର ଡୋଜ୍‌,୧୮ ବର୍ଷରୁ ଅଧିକଙ୍କୁ ଦିଆଯିବ ଟିକା

କେନ୍ୟୁଜ୍(ବ୍ୟୁରୋ): ଏଣିକି ୧୮ ବର୍ଷରୁ ଅଧିକଙ୍କୁ ମିଳିବ କରୋନା ଟିକାର ବୁଷ୍ଟର ଡୋଜ୍‌ । ଆସନ୍ତା ୧୦ ତାରିଖ ରବିବାରଠୁ ଆରମ୍ଭ ହେବ । ସବୁ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ ପ୍ରିକସନାରୀ ଡୋଜ୍‌ । ଟିକାର ଦୁଇଟି ଡୋଜ୍‌ ନେଇଥିଲେ ଘରୋଇ କେନ୍ଦ୍ରରୁ ନେଇପାରିବେ ଥାର୍ଡ ଡୋଜ୍‌ ଭ୍ୟାକସିନ୍‌ । ଯେଉଁମାନଙ୍କର ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଓ ଦ୍ୱିତୀୟ ଡୋଜ୍‌କୁ ୯ ମାସ ପୂରିଥିଲେ ବୁଷ୍ଟର ଟିକା ନେଇପାରିବେ । ଯଦିଓ ଏବେ ଭାରତରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । କିନ୍ତୁ ଚୀନରେ ମାଡୁଛି । ଓମିକ୍ରନର ସବଭାରିଆଣ୍ଟ XE ଷ୍ଟ୍ରେନ୍‌କୁ ନେଇ ସତର୍କ କରାଇଲାଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏଭଳି ସ୍ଥିତିରେ ୧୮ ବର୍ଷରୁ ସମସ୍ତଙ୍କୁ ବୁଷ୍ଟର ଡୋଜ୍‌ ନେଇ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ସରକାରୀ କେନ୍ଦ୍ରରେ ପୂର୍ବଭଳି ଜାରି ରହିବ ଟିକାକରଣ । ଲୋକ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ନେଇପାରିବେ । ସେହିପରି ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର କରୋନା ଯୋଦ୍ଧା ଓ ୬୦ ବର୍ଷରୁ ଅଧିକଙ୍କୁ ପ୍ରିକରସନାରୀ ଡୋଜ୍‌ ବି ଜାରି ରହିବ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୫ ବର୍ଷରୁ ଅଧିକ ୯୬ ପ୍ରତିଶତ ଲୋକ କୋଭିଡ୍‌ ଟିକାର ଗୋଟିଏ ଡୋଜ୍‌ ନେଇଛନ୍ତି । ୮୩ ପ୍ରତିଶତ ନେଲେଣି ଦୁଇଟି ଲେଖାଏ ଡୋଜ୍‌ । ୨ କୋଟି ୪୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର କରୋନା ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବୟସ୍କ ବୁଷ୍ଟର ଡୋଜ୍‌ ନେଇ ସାରିଛନ୍ତି ।

 ଜାନୁଆରୀ ୧୦ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା ପ୍ରିକସନ ଡୋଜ୍‌ ଟିକାକରଣ । ମାର୍ଚ୍ଚ ୧୦ ତାରିଖରୁ ୧୨ରୁ ୧୪ ବର୍ଷଙ୍କୁ ଟିକାକରଣ ଚାଲିଛି । ଏହି ବୟସ ବର୍ଗରେ ଏଯାଏ ୪୫ ପ୍ରତିଶତ ଟିକାର ଗୋଟିଏ ଡୋଜ୍‌ ନେଇ ସାରିଛନ୍ତି । ଆଗକୁ ମାଗଣା ଟିକାକରଣ ବି ଜାରି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.