ବାଲେଶ୍ବରରୁ ଖୋର୍ଦ୍ଧା ଭାୟା ଭୁବନେଶ୍ବର, ବ୍ୟାପିଛି ଧୂସର ଜହର

ଭୁବନେଶ୍ବର (କେନ୍ୟୁଜ) : ରାଜ୍ୟରେ ବ୍ୟାପିଛି ‘ଧୂସର ଜହର’ ବା ବ୍ରାଉନ୍ ସୁଗାର କାରବାର । କେଉଁଠୁ ଆସୁଛି କେଉଁଠିକୁ ଯାଉଛି ଲୋକଙ୍କ ଠାରୁ ଆରମ୍ଭ କରି ପୋଲିସକୁ ବି ଜଣା ହେଲେ । ବନ୍ଦ ହେଉନି ଏହି ଜହର କାରବାର । ଏହି ଭୟଙ୍କର ଓ ବିପଦଜନକ ନିଶା କାରବାରରେ ବେପାରୀଙ୍କ ଟାର୍ଗେଟ୍ ହେଉଛନ୍ତି ଯୁବପଢ଼ି । ବିଶେଷ କରି କଲେଜ ପଢୁଆ ଛାତ୍ରଛାତ୍ରୀ । ଆଉ ବ୍ୟବସାୟ ବଢ଼ାଇବା ଲାଗି ସହଜ ଉପାୟ ଧରିଛନ୍ତି ମହିଳାଙ୍କ ଜରିଆରେ । ଏବେ ଲଗାତର ଭାବେ ବାଲେଶ୍ବର, ଭୁବନେଶ୍ବର ଏବଂ ଖୋର୍ଦ୍ଧା ଅଞ୍ଚଳରୁ କିଛି କିଛି ପରିମାଣର ବ୍ରାଉନ୍ ସୁଗାର ଜବତ ହେଉଛି । ବିକାଳି ଗିରଫ ହେଉଛନ୍ତି । ହେଲେ ବନ୍ଦ ହେଉନି ଏହି ବେପାର । କିମ୍ବା ପୋଲିସ୍ ମାଷ୍ଟରମାଇଣ୍ଡ ତଥା କିଙ୍ଗପିନଙ୍କୁ ଧରିବାରେ ସଫଳ ହେଉନି । କେବଳ କୁହାଯାଉଛି, ଚେଷ୍ଟା ଚାଲିଛି ବୋଲି ।

କାହିଁକି ଜଳିଗଲା ଦାମୀ କାର ?

CAR ON FIRE

ଶନିବାର ଦିନ ଖୋର୍ଦ୍ଧା ସହର ପୁରୁଣା ଫାୟାର ଷ୍ଟେସନ୍ ଛକ ନିକଟରେ ଏକ କାରରେ ଜଳିଗଲା । ଦିନ ପ୍ରାୟ ୨ଟା ବେଳକୁ ବରୁଣେଇ ସାହି ଭିତରେ ନିଆଁ ଲାଗିଗଲା ଏହି କାରରେ । ପୋଲିସ୍ କହିଲା କାରଟି କେମିତି ଜଲିଗଲା ସ୍ପଷ୍ଟ ହୋଇନାହିଁ । ତେବେ ତା ଭିତରେ କିଛି ନଥିଲା । ହେଲେ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ କାର ଭିତରେ ଥିଲା କୋଟି କୋଟି ଟଙ୍କାର ବ୍ରାଉନ୍ ସୁଗାର, ନଗଦ ଟଙ୍କା ଏବଂ ଚୋରା ସୁନା । କୌଣସି କାରଣରୁ ଏଥିରେ ଜାଣିଶୁଣି ନିଆଁ ଲଗାଇ ଦିଆଯାଇଥିବା ସବୁଠି ଚର୍ଚ୍ଚା ହେଉଛି । ତେବେ ଏ ନେଇ ପୋଲିସ୍ ତଦନ୍ତ ଚଳାଇଛି । ଯଦି ସତ ତାହେଲେ ନିଶ୍ଚୟ ସାଂଘାତିକ ।

ସେହଭିଳି ଖୋର୍ଦ୍ଧା ନୂଆଗାଁରେ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ଵାଡ୍‌ ଚଢ଼ାଉ କରି ଶହେ ଗ୍ରାମ୍‌ ବ୍ରାଉନ୍‌ସୁଗାର ମଧ୍ୟ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ । ତା ପୂର୍ବରୁ ଚୋରା ନିଶା ବେପାରୀଙ୍କ ଉପରେ ଚଢ଼ଉ ହୋଇଥିଲା । ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇ ମଠସାହିରୁ ୧୨୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା । ଜବତ ବ୍ରାଉନ୍‌ ସୁଗାରର ଆନୁମାନିକ ମୂଲ୍ୟ ୨୪ଲକ୍ଷ ଟଙ୍କା ହେବ । ଇଏ ଗୋଟିଏ କି ଦୁଇଟି ହେଉଛି ଖାଲି ଉଦାହରଣ । କିନ୍ତୁ ଖୋର୍ଦ୍ଧ ଅଞ୍ଚଳରୁ ଏହି ମାରାତ୍ମକ ନିଶା ଦ୍ରବ୍ୟ କିଛି କିଛି ଦିନ ବ୍ୟବଧାନରେ ଜବତ ହେଉଛି ।

ପେଣ୍ଠ ସ୍ଥଳ ହଳଦି ପଡ଼ିଆ ବସ୍ତି

brown sugar-2

ସେହିପରି ଭୁବନେଶ୍ୱର ହଳଦିପଡ଼ିଆ ପାଲଟିଛି ଧୂସର ଜହରର ପେଣ୍ଠସ୍ଥଳୀ । ନିକଟରେ ଏଠାରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଲକ୍ଷ୍ମୀସାଗର ହଳଦିପଡିଆ ବସ୍ତିରେ ଚଢ଼ାଉ କରି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୨ଶହ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ । ଜଣେ ମହିଳା ବ୍ୟବସାୟୀଙ୍କୁ ଗିରଫ କଲା ଅବକାରୀ ବିଭାଗ । ତାର କିଛଇ ଦିନ ଆଗରୁ ୩୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଥିଲା ଅବକାରୀ ବିଭାଗ । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଥିଲା । ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ । ଅବକାରୀ ବିଭାଗ ସହ ଫ୍ଲାଇଂ ସ୍କ୍ଵାଡ୍‌ ଓ ମୋବାଇଲ୍‌ ସ୍କ୍ଵାଡ୍‌ ମିଳିତ ଭାବେ ଚଢ଼ାଉ କରିଥିଲେ । ତା ପୂର୍ବରୁ ସାମନ୍ତରାପୁର ଓ ବୈଷ୍ଣବ ନଗରରୁ ୪୫ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ ହୋଇଥିଲା । ଏହାର ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ । ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ବ୍ରାଉନସୁଗାର କାରବାର ଅଭିଯୋଗରେ ଏହା ପୂର୍ବରୁ ମା’ ପୁଅ ଗିରଫ ହୋଇଥିଲେ । ପୋଲିସ କିମ୍ବା ଅବକାରୀ ବିଭାଗ ନୁହେଁ, ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କଫୋର୍ସ । ସେହି ହଳଦିପଡିଆ ବସ୍ତିରେ ଚଢ଼ାଉ ବେଳେ ମା’ ପୁଅ ଗିରଫ ହୋଇଥିଲେ । ସେମାନଙ୍କ ଠାରୁ ୧୦ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଥିଲା । ତା ପୂର୍ବରୁ ମଧ୍ୟ ଅନେକ ଥର ଭୁନେଶ୍ୱରରୁ ବ୍ରାଉନ୍‌ ସୁଗାର ଜବତ କରାଯାଇଛି । ହଳଦି ପଡ଼ିଆ ବସ୍ତିରୁ ସବୁ ବେଳେ ବ୍ରାଉନ୍ ସୁଗାର ଜବତ ହେଉଛି ଓ ଅପରାଧୀ ଗିରଫ ହେଉଛନ୍ତି । ତେବେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଧାରା ବନ୍ଦ ହେଉନାହିଁ କେମିତି ?

ମୂଳ କଣ ବାଲେଶ୍ବରରେ ? BROWNE SUGAR-3

କୁହାଯାଉଛି ଚେର ବାଲେଶ୍ବରରୁ ଲମ୍ବିଛି ଭୁବନେଶ୍ବର ଓ ଖୋର୍ଦ୍ଧାକୁ । ହେଲେ ଏହାର ପ୍ରକୃତ ଚେର ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ବାଲେଶ୍ବରକୁ ଆସୁଥିବା କୁହାଯାଉଛି । ବାଲେଶ୍ବର ଅରଡ଼ ବଜାର, ଜଳେଶ୍ବର ଆଦି ଅଞ୍ଚଳରୁ ମିଳୁଛି ବ୍ରାଉନ୍ ସୁଗାର । ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି, ବସ୍ତିରେ କିଛି ଲୋକ ଏହି ବେପାରରେ ସାମିଲ ଅଛନ୍ତି । ପୋଲିସ୍ ଚଢ଼ାଉ କରି କେତେବେଳେ ଧରିଛି ତ ଆଉ କେତେବେଳେ ଆରେ ଧୂଳି ଦେଇ ଖସି ଯାଇଛନ୍ତି ଅପରାଧୀ । ଭିତର କଥା ହେଉଛି କିଛି ଘରେ ଅତି ସଫାସୁତୁରା ପାଇଖାନା କରାଯାଇଛି । କିନ୍ତୁ ଏହା ବ୍ୟବହାର ହୁଏନାହିଁ । ପୋଲିସ୍ ଚଢ଼ାଉ କଲେ ବ୍ରାଉନ୍ ସୁଗାର ସବୁ ଏହି ପାଇଖାନା ଭିତରକୁ ଫିଙ୍ଗି ଦିଆଯାଏ ।

ପୋଲିସ୍ କଣ ଚେର ପାଉନି ନା ଭିତର କଥା କିଛି ଅଲଗା ?

ରାଜ୍ୟରେ କେବଳ ଏହି ତିନିଟି ଅଞ୍ଚଳ ନୁହେଁ ଅନ୍ୟ କିଛି ଅଞ୍ଚଳରେ ମଧ୍ୟ ବ୍ରାଉନ୍ ସୁଗାର ବେପାର ଚାଲିଛି । ତେବେ ପୋଲିସ୍ କାହିଁକି ଏହାର ମୂଳୋତ୍ପାଟନ କରି ପାରୁନାହିଁ, ତାହା ବୁଝିବା ମୁସ୍କିଲ । ଗଞ୍ଜେଇ ଚାଷ ମାଓ ଅଧ୍ୟୁଷିତ ଏବଂ ଘନ ଜଙ୍ଗଲ ଅଞ୍ଚଳରେ ହେଉଛି । ତେଣୁ ଏହାକୁ ରୋକିବା ସହଜ ହେଉନଥିବା କଥା ବୁଝି ହେଉଛି । କିନ୍ତୁ ବସ୍ତି ଲୋକ ଓ ମହିଳାଙ୍କୁ ହତିଆର କରି ବେପାର ଚଳାଇଥିବା ଅପରାଧୀଙ୍କୁ କାହିଁକି ଧରି ପାରୁନି ପୋଲିସ୍, ତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ । ଏଥିପ୍ରତି ଆମର ପ୍ରିୟ ପୋଲିସ୍ ଡିଜି ମହୋଦୟ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ବିଶେଷ ଧ୍ୟାନ ଦେବା ଉଚିତ । କାରଣ ଏ ନେଇ ପୋଲିସ୍ ଉପରକୁ ଆଙ୍ଗୁଳି ଉଠିଛି ।

ଏଇ ଜହର ଦ୍ବାରା ଯୁବପିଢ଼ି ନଷ୍ଟ ହେଉଛନ୍ତି । ନିଶାର ଜାଲରେ ଛନ୍ଦି ହୋଇ ଜୀବନ ବରବାଦ ହେଉଛି । ତେଣୁ ପୋଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ନଚେତ ଏଇ ଧୂସର ଜହର ଜାଲରେ ଧୀରେ ଧୀରେ ସାରା ରାଜ୍ୟ କବଳିତ ହୋଇଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.