ଚାଷୀଙ୍କୁ ଘାରିଛି କରୋନା ଲକ୍‌ଡାଉନ୍‌ ଦୁଃଖ, ବଜାରକୁ ଯାଉ ନଥିବାରୁ ଜମିରେ ସଢୁଛି ପରିବା

ରାଇରଙ୍ଗପୁର (କେନ୍ୟୁଜ୍‌) : ଚାଷୀଙ୍କ ଚିନ୍ତା ବଢ଼ାଇଛି କରୋନା । ଚାଷୀଙ୍କୁ କନ୍ଦାଉଛି ଲକଡାଉନ । କରୋନା ପାଇଁ ଉଜୁଡ଼ି ବାକୁ ବସିଲାଣି ଚାଷୀଙ୍କ ଫସଲ । ଲକଡାଉନ ପରେ ମୟୁରଭଞ୍ଜ ଜିଲ୍ଲାର ଚାଷୀ ଏବେ ଚିନ୍ତାରେ । ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ମଣଦାର ଲାଲମୋହନ ବେହେରା ଯିଏ କି ଜଣେ ସଫଳ ଚାଷୀ ବୋଲି ପରିଗଣିତ ଆଜି ସିଏ ନିଜ ଫସଲ ଧରି କାନ୍ଦୁଛନ୍ତି । ଲାଲମୋହନ ଚାରି ଏକର ଜମିରେ ବିଭିନ୍ନ ପ୍ରକାର ପରିବା ଚାଷ କରିଥିବା ବେଳେ ଦୁଇ ଏକର ଜମିରେ କେବଳ କ୍ୟାପସିକମ୍‌ ଚାଷ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାରେ କ୍ୟାପସିକମ୍‌ର ଚାହିଦା ଏତେ ନ ଥିବା ବେଳେ ଲାଲମୋହନ ବାହାର ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସହରକୁ କ୍ୟାପସିକମ୍‌ ପଠାଇଥାନ୍ତି ।

RAIRANGPUR-2

ତେବେ ଲକଡାଉନ ହେବା ପରେ ବାହାର ବଜାରର ପାଇକାରୀମାନେ ଆସୁନଥିବା ବେଳେ ସ୍ଥାନୀୟ ବଜାରରେ ଅଧା ଦାମରେ ଦେଲେ ବି ଲୋକେ ଏହି ପରିବାକୁ ନେଉ ନାହାନ୍ତି । ଏଭଳି ସ୍ଥିତିରେ ବିଲରେ ଫଳିଥିବା କୁଇଣ୍ଟାଲ କୁଇଣ୍ଟାଲ କ୍ୟାପସିକମ୍‌କୁ ନେଇ ଲାଲମୋହନ ଓ ତାଙ୍କ ଭଳି ଅନେକ ଚାଷୀ ହତାଶ ହୋଇ ପଡ଼ିଛନ୍ତି । ଏବେ କୁଇଣ୍ଟାଲ କୁଇଣ୍ଟାଲ କ୍ୟାପସିକମ୍‌ ବିଲରେ ପଡି ପଡି ପଚିବା ହିଁ ସାର ହେଉଛି ।
ଲୋକଙ୍କ ପାଖରୁ ଧାର କରଜ କରି ଚାଷ କରିଥିବାରୁ ଋଣ ପରିଶୋଧ କରିବା ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି । ଏସବୁ ପରିବା ବଜାରରେ ପହଞ୍ଚାଇବା ନଚେତ ନିରାଶ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଓ ଜନପ୍ରତିନିଧି ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.