ଚାନ୍ଦବାଲି : ଗାଳିଗୁଲଜ ନେଇ ବ୍ଲକ ଉପାଧକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁରେ ଥାନାରେ ଏତଲା ଦେଲେ ବିଡ଼ିଓ 

ଚାନ୍ଦବାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକ ଉପାଧ୍ୟକ୍ଷଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଚାନ୍ଦବାଲିରେ ଚର୍ଚ୍ଚା ଜୋର ଧରିଛି।

ଚାନ୍ଦବାଲି (କେନ୍ୟୁଜ): ଚାନ୍ଦବାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକ ଉପାଧ୍ୟକ୍ଷଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଚାନ୍ଦବାଲିରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ପରେ ନିଜକୁ ଅସୁରକ୍ଷିତ ମନେ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଥାନାରେ ଏତଲା ଦେବା ଏବେ ଚାନ୍ଦବାଲି ବିଜେଡି ରାଜନୀତିକୁ ସରଗରମ କରିଛି।

ଘଟଣାରୁ ଜଣା ପଡ଼ିଛି, ଚଳିତ ମାସ ୧୨ ତାରିଖ ଦିନ ରାଜ୍ୟ ୫ ଟି ସଚିବଙ୍କ ଚାନ୍ଦବାଲି ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପାଧ୍ୟକ୍ଷଙ୍କ ବଡ ଭାଇ ତଥା ସାଂସଦଙ୍କ ପ୍ରତିନିଧି ଅଶୋକ ବଳଙ୍କୁ ସେ ବସିଥିବା ଷ୍ଟେଜ ରୁ ବାହାର କରିଦେଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଉଭୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସାଂସଦଙ୍କ ପ୍ରତିନିଧିଙ୍କ ମଧ୍ୟରେ ଉଚ୍ଚ ବାଚ ହୋଇଥିଲା।

ଘଟଣା ସ୍ଥଳରେ ଉପସ୍ଥିତ ଥିବା ଉପ ଜିଲ୍ଲାପାଳ ଘଟଣାକୁ ମେନେଜ୍ କରିଦେଇଥିଲେ। ହେଲେ ଏହାକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପରେ ଅସନ୍ତୋଷ ଦେଖା ଦେଇଥିଲା। ରଜ ଛୁଟି ଥିବାରୁ ଘଟଣା ଟିକେ ନରମ ପଡ଼ି ଯାଇଥିଲା। ବୁଧବାର ଉକ୍ତ ଘଟଣା ବିସ୍ଫୋରକ ରୂପ ନେଇଥିବା ଜଣା ପଡ଼ିଛି। ବ୍ଲକ ଉପାଧ୍ୟକ୍ଷ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବ୍ଲକ କାର୍ଯ୍ୟାଳୟ ସାମନାରେ ଉକ୍ତ ଘଟଣା ବିଷୟରେ ପଚାରିବାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ଯାହାକୁ ନେଇ ରାଜନୀତି ସରଗରମ ହୋଇଥିଲା। ଘଟଣା କୁ ସମାଧାନ କରିବାକୁ କସରତ ହୋଇଥିଲା। ହେଲେ ବିଳମ୍ବିତ ରାତିରେ ପୁନର୍ବାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବାସ ଭବନ ଉପରେ ପଚା ଅଣ୍ଡା ଓ ଗୋବର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ବାବଦରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଥାନାରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏହି ଅଭିଯୋଗ ଆଧାରରେ ପୁଲିସ ବ୍ଲକ ଉପାଧ୍ୟକ୍ଷ ଓ ଏକାଧିକ ଲୋକଙ୍କ ନାମରେ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ଜାରି ରଖିଛି।

fir

ତଦନ୍ତକାରୀ ଅଧିକାରୀ ଅନୁରାଗ ମହାନ୍ତି ବ୍ଲକ କାର୍ଯ୍ୟାଳୟକୁ ଯାଇ ଘଟଣା ବାବଦରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି। ଉକ୍ତ ହାଇ ପ୍ରୋଫାଇଲ୍ ଘଟଣାକୁ ନେଇ ଚାନ୍ଦବାଲି ବିଜେଡି ଏବେ ଦୁଇ ଭାଗ ହୋଇଥିବା । ଗୋଟେ ଗୋଷ୍ଠୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବ୍ଲକ ଉପାଧ୍ୟକ୍ଷଙ୍କୁ ସମର୍ଥନ କରୁଛନ୍ତି।

ସୂଚନାଯୋଗ୍ୟ ଉଭୟ ସାଂସଦଙ୍କ ପ୍ରତିନିଧି ଓ ବିଧାୟକଙ୍କ ସମ୍ପର୍କୀୟ ହୋଇଥିବାରୁ ଘଟଣା ଆଗାମୀ ଦିନ ରେ କି ମୋଡ ନେଉଛି ତାହା ଉପରେ ନଜର। ଅଭିଯୋଗ ସମ୍ବନ୍ଧରେ ଉପାଧ୍ୟକ୍ଷ ସରୋଜ ବଳଙ୍କୁ ପଚାରିବାରୁ ସେ କେବଳ ଭାଇଙ୍କୁ କାହିଁକି ଅସମ୍ମାନ କଲେ ସେ ବାବଦରେ ପଚାରିବାକୁ ଯାଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଣିଥିବା ଅଭିଯୋଗ ଭିତ୍ତି ହିନ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.