ଦିବ୍ୟାଙ୍ଗଙ୍କ କମାଲ, ପାରା ଅଲମ୍ପିକ ପ୍ରତିଯୋଗିତାରେ ସଫଳତା ହାସଲ କଲେ ଚନ୍ଦନ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମୋଟା ଗାଁର ଦିବ୍ୟାଙ୍ଗ ଯୁବକ ଚନ୍ଦନ କୁମାର ରାଉତ ଭୁବନେଶ୍ବର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପାରା ଅଲମ୍ପିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି ।

ଦିବ୍ୟାଙ୍ଗ ହୋଇଥିଲେ ବି ହାର ମାନି ନାହାନ୍ତି । ସମସ୍ତଙ୍କୁ ଦେଖାଇଛନ୍ତି ନିଜର ପାରଦର୍ଶିତା । ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ, ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଚନ୍ଦନ । ଅକ୍ଷମ ହୋଇଥିଲେ ବି ନିଜ କ୍ଷମତାକୁ ଅନ୍ୟମାନଙ୍କ ଆଗରେ ଦେଖାଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମୋଟା ଗାଁର ଦିବ୍ୟାଙ୍ଗ ଯୁବକ ଚନ୍ଦନ କୁମାର ରାଉତ ଭୁବନେଶ୍ବର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପାରା ଅଲମ୍ପିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି । ଏହା ପରେ ଗୋଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି ।

ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିବା ପାରା ଅଲମ୍ପିକ ପ୍ରତିଯୋଗିତାରେ ସଟଫୁଟ ଥ୍ରୋରେ ଅଂଶଗ୍ରହଣ କରି ସମଗ୍ର ରାଜ୍ୟରେ ଦ୍ବୀତିୟ ସ୍ଥାନ ଅଧିକାର କରି ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି । ଏହି ଦିବ୍ୟାଙ୍ଗ ଯୁବକ ଚାଲିବାକୁ ମଧ୍ୟ ସକ୍ଷମ ହୋଇପାରୁ ନାହାଁନ୍ତି । ପ୍ରଥମେ ଟ୍ୟୁମର ଓ ପରେ ସ୍ପାଇନାଲ କର୍ଡ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଭାବେ ଅକ୍ଷମ ହୋଇପଡିଛନ୍ତି ସେ । ଗୋଆ ଯିବାକୁ ମଧ୍ୟ ତାଙ୍କୁ ଅର୍ଥ ବାଧକ ସାଜିଛି । ତେଣୁ କାମାକ୍ଷାନଗର ଠାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଭେଟି ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । ଯାହା ଫଳରେ ସେ ଗୋଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।

ଚନ୍ଦନଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଥିବାରୁ ଅଞ୍ଚଳବାସୀ ବେଶ ଗର୍ବ ଅନୁଭବ କରୁଛନ୍ତି । ତାଙ୍କୁ ଆହୁରି ଅଧିକ ସଫଳତା ମିଳୁ ତାହା ହିଁ ସମସ୍ତଙ୍କ କାମନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.